ନୂଆଦିଲ୍ଲୀ : ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍ର ଚୂଡ଼ାନ୍ତ ରାୟ ଆନ୍ଧ୍ରପ୍ରଦେଶ ସପକ୍ଷରେ ଯାଇଥିବାବେଳେ ଆଦେଶର କାର୍ଯ୍ୟକାରିତାରେ ବିଳମ୍ବ ହେବାର ସମ୍ଭାବନା ରହିଛି। ରାୟର ତ୍ବରିତ କାର୍ଯ୍ୟକାରିତା ଓଡ଼ିଶାର ଆଭିମୁଖ୍ୟ ଉପରେ ନିର୍ଭର କରେ ବୋଲି ଅନୁମାନ କରାଯାଉଛି। ଟ୍ରିବ୍ୟୁନାଲ୍ଙ୍କ ଡିସେମ୍ବର ୧୭, ୨୦୧୩ର ଅନ୍ତରୀଣ ଆଦେଶ ଓ ସେପ୍ଟେମ୍ବର ୧୩, ୨୦୧୭ର ଚୂଡ଼ାନ୍ତ ରାୟ ବିରୋଧରେ ରାଜ୍ୟ ସରକାର ପୂର୍ବରୁ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବାବେଳେ ଜୁନ୍ ୨୧, ୨୦୨୧ର ଚୂଡ଼ାନ୍ତ ନବୀକୃତ ଆଦେଶ ଉପରେ ପୁଣି ରାଜ୍ୟ ସରକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେବେ କି ନା ଏନେଇ ପ୍ରଶ୍ନ ଉଠିବା ସ୍ବାଭବିକ।
ସୂଚନାଯୋଗ୍ୟ, ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ୍ଙ୍କ ଚୂଡ଼ାନ୍ତ ରାୟ (ସେପ୍ଟେମ୍ବର ୧୩, ୨୦୧୭) ବିରୋଧରେ ଓଡିଶା ସରକାରଙ୍କ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ ସ୍ବତନ୍ତ୍ର ଲିଭ୍ ପିଟିସନ (ଏସ୍ଏଲ୍ପି) ବର୍ତ୍ତମାନ ସୁପ୍ରିମ୍କୋର୍ଟରେ ବିଚାରାଧୀନ ରହିଛି। ପ୍ରଥମ ଏସ୍ଏଲ୍ପି ଓଡିଶା ଦ୍ବାରା ଡିସେମ୍ବର ୨୦୧୭ରେ ଦାଖଲ କରାଯାଇଥିଲା। ନେରେଡି ବ୍ୟାରେଜ୍ ନିର୍ମାଣ ପାଇଁ ଆବଶ୍ୟକ ୧୦୬ ଏକର ଜମି ଅଧିଗ୍ରହଣ କରି ଆନ୍ଧ୍ରପ୍ରଦେଶ ସରକାରଙ୍କୁ ହସ୍ତାନ୍ତର କରିବାକୁ ଓଡିଶାକୁ ଟ୍ରିବ୍ୟୁନାଲ୍ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାହାକୁ ଚ୍ୟାଲେଞ୍ଜ୍ କରି ଓଡିଶା ସୁପ୍ରିମ୍କୋର୍ଟରେ ଏସ୍ଏଲ୍ପି ଦାଖଲ କରିଥିଲା। ଅନ୍ୟ ଏକ ଏସ୍ଏଲ୍ପି ୨୦୧୯ ଅକ୍ଟୋବରରେ ଓଡିଶା ଦ୍ବାରା ସୁପ୍ରିମ୍କୋର୍ଟରେ ଦାଖଲ କରାଯାଇଥିଲା।
ଏପ୍ରିଲ ୫, ୨୦୧୯ରେ ବଂଶଧାରା ନଦୀଜଳକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ନେରେଡି ବ୍ୟାରେଜ୍ ସ୍ଥଳରେ ଉଭୟ ରାଜ୍ୟକୁ ମିଳିତ ସର୍ଭେ କରିବା ଲାଗି ବଂଶଧାରା ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ନେଇ ଓଡ଼ିଶା ପକ୍ଷରୁ ଆପତ୍ତି ଉଠାଯାଇଥିଲା, ପୁଣିଥରେ ଟ୍ରିବ୍ୟୁନାଲ୍ ନିକଟରେ ଆଦେଶର ସଂଶୋଧନ ପାଇଁ ଆବେଦନ କରାଯାଇଥିଲା। ହେଲେ ଟ୍ରିବ୍ୟୁନାଲ୍ ସେପ୍ଟେମ୍ବର ୨୩, ୨୦୧୯ରେ ଓଡିଶାର ଯୁକ୍ତିକୁ ଅଗ୍ରାହ୍ୟ କରି ଛଅ ସପ୍ତାହ ଭିତରେ ମିଳିତ ସର୍ଭେ ଆଦେଶକୁ ତ୍ବରାନ୍ବିତ କରିବା ପାଇଁ କହିଥିଲେ। ଟ୍ରିବ୍ୟୁନାଲ୍ଙ୍କ ଆଦେଶ ବିରୋଧରେ ଓଡିଶା ୨୦୧୯ ଅକ୍ଟୋବରରେ ଏସ୍ଏଲ୍ପି ଦାଖଲ କରିଥିଲା।
ଦୁଇଟି ଏସ୍ଏଲ୍ପିର ଶୁଣାଣି ବର୍ତ୍ତମାନ ସୁପ୍ରିମ୍କୋର୍ଟରେ ବିଚାରାଧୀନ ରହିଛି । ଏପ୍ରିଲ ୧୫, ୨୦୨୦ରେ ଏହି ଦୁଇଟି ଏସ୍ଏଲ୍ପିର ଏକତ୍ର ଶୁଣାଣି ପାଇଁ ସୁପ୍ରିମ୍କୋର୍ଟ ତାରିଖ ଧାର୍ଯ୍ୟ କରିଥିଲୋ। କରୋନା କଟକଣା ଯୋଗୁଁ ସୁପ୍ରିମ୍କୋର୍ଟରେ ଫିଜିକାଲ ଶୁଣାଣି ହୋଇପାରୁ ନ ଥିବା ଯୋଗୁଁ ତାହା ଅଟକି ରହିଛିା ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମାମଲାରେ ଓଡିଶାର ଯୁକ୍ତିକୁ ବଳିଷ୍ଠରୂପେ ଉପସ୍ଥାପନ କରିବା ପାଇଁ ଦେଶର ଜଣାଶୁଣା ଆଇନଜୀବୀ କପିଲ ଶିବଲଙ୍କୁ ରାଜ୍ୟ ସରକାର ନିୟୋଜିତ କରିଛନ୍ତି।
ବଂଶଧାରା ଟ୍ରିବ୍ୟୁନାଲ୍ର ଚୂଡ଼ାନ୍ତ ଓ ସଂଶୋଧିତ ରାୟରେ ନେରେଡି ପ୍ରକଳ୍ପ ପାଇଁ ୧୦୬ ଏକର ଜମି ଓଡ଼ିଶା ସରକାର ଅଧିଗ୍ରହଣ କରି ଆନ୍ଧ୍ରକୁ ହସ୍ତାନ୍ତର ପାଇଁ କହିଛନ୍ତି ତଥା ଏ ସଂପର୍କିତ ପୂର୍ବ ରାୟକୁ ମଧ୍ୟ କାଏମ୍ ରଖିଛନ୍ତି। ଅପରପକ୍ଷେ, ଟ୍ରିବ୍ୟୁନାଲ୍ ଏହା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ, ଓଡିଶା ଦ୍ବାରା ସୁପ୍ରିମ୍କୋର୍ଟରେ ଦାଖଲ କରାଯାଇଥିବା ଏସ୍ଏଲ୍ପିର ଫଳାଫଳ ରାୟ ଉପରେ ନିର୍ଭର କରିବ। ଏମିତିରେ ଆଗକୁ ଏହି ମାମଲା ସୁପ୍ରିମ୍କୋର୍ଟରେ ରୋଚକ ମୋଡ଼ ନେଇପାରେ ବୋଲି ମାମଲାରେ ଜଡିତ ଥିବା ଜଣେ ଆଇନଜୀବୀ ନାମ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି। ତାଙ୍କ କହିବା ଅନୁସାରେ ଓଡିଶା ପାଖରେ ବର୍ତ୍ତମାନ ଦୁ୍ଇଟି ବିକଳ୍ପ ରହିଛି। ରାୟକୁ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ୍ କରିବା, ନଚେତ୍ ପୂର୍ବରୁ ଯେଉଁ ଦୁଇଟି ଏସ୍ଏଲ୍ପି ବିଚରାଧୀନ ଅଛି, ତାକୁ ନିଜ ସପକ୍ଷରେ ଆଣିବା ପାଇଁ ପ୍ରୟାସ କରିବା। ଓଡ଼ିଶା ଦ୍ବାରା ଯଦି ବର୍ତ୍ତମାନର ରାୟ ବିରୋଧରେ ସୁପ୍ରିମ୍କୋର୍ଟରେ ଏସ୍ଏଲ୍ପି ଦାଖଲ କାରାଯାଏ, ତା’ହେଲେ ଆଗକୁ ଏହି ମାମଲା କୋର୍ଟରେ ଲମ୍ବା ସମୟ ପାଇଁ ଚାଲିପାରେ।
ଆଇନଜୀବୀ ଜଣକ ପୁଣି କହିଥିଲେ, ବଂଶଧାରା ଟ୍ରିବ୍ୟୁନାଲ୍ଙ୍କ ଡିସେମ୍ବର ୧୭, ୨୦୧୩ର ଅନ୍ତରୀଣ ଆଦେଶ ବିରୋଧରେ ଓଡ଼ିଶା ପକ୍ଷରୁ ୨୦୧୪ରେ ସୁପ୍ରିମ୍କୋର୍ଟରେ ଏସ୍ଏଲ୍ପି ଦାଖଲ କରାଯାଇଥିଲା। ୨୦୧୭, ସେପ୍ଟେମ୍ବର ୧୩ରେ ବଂଶଧାରା ଟ୍ରିବ୍ୟୁନାଲ୍ର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଥିଲା, କିନ୍ତୁ ଏସ୍ଏଲ୍ପିର କୌଣସି ନିଷ୍କର୍ଷ ବାହାରିପାରି ନ ଥିଲା ଏବଂ ପରବର୍ତ୍ତୀ ସମୟରେ ଏସ୍ଏଲ୍ପି ଅକାମୀ ହୋଇଯାଇଥିଲା। ଅପରପକ୍ଷେ, ଆନ୍ଧ୍ରପ୍ରଦେଶ ପକ୍ଷରୁ ଖୁବ୍ ଶୀଘ୍ର ସୁପ୍ରିମ୍କୋର୍ଟଙ୍କୁ ଟ୍ରିବ୍ୟୁନାଲ୍ଙ୍କ ରାୟ ସଂପର୍କରେ ଅବଗତ କରାଯିବ ବୋଲି ସୂତ୍ରରୁ ଜଣାପଡିଛି। ସୁପ୍ରିମ୍କୋର୍ଟରେ ମାମଲା ଫଇସଲା ହେବାପରେ ଟ୍ରିବ୍ୟୁନାଲ୍ଙ୍କ ରାୟକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଗେଜେଟ ବିଜ୍ଞପ୍ତି ଜାରି କରିବେ। ଏମିତିରେ ଟ୍ରିବ୍ୟୁନାଲ୍ଙ୍କ ଆଦେଶର କାର୍ଯ୍ୟକାରିତାରେ ବିଳମ୍ବ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।