ବଂଶଧାରା ଜଳବିବାଦ ମାମଲା: ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ୩୪୦୪ ପୃଷ୍ଠାର ଅତିରିକ୍ତ ନଥି ଦାଖଲ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ବଂଶଧାରା ଜଳବିବାଦ ମାମଲାରେ ରାଜ୍ୟସରକାରଙ୍କ ଦ୍ବାରା ୩୪୦୪ ପୃଷ୍ଠାର ଅତିରିକ୍ତ ଦସ୍ତାବିଜ ସତ୍ୟପାଠ ଆକାରରେ ଦାଖଲ କରାଯାଇଛି। ୧୩ଟି ଭଲ୍ୟୁମ୍‌ରେ ଦାଖଲ କରାଯାଇଥିବା ଅତିରିକ୍ତ ଦସ୍ତାବିଜରେ ରାଜ୍ୟ ସରାକରଙ୍କ ଦ୍ବାରା ବଂଶଧାରା ପ୍ରକଳ୍ପକୁ ନେଇ ୧୯୫୪, ୧୯୬୧, ୧୯୬୯, ୧୯୭୮, ୧୯୮୨, ୧୯୮୫ ଓ ୧୯୮୬ରେ ପ୍ରସ୍ତୁତ କରାଯାଇଥିବା ବଂଶଧାରା ପ୍ରକଳ୍ପର ବିସ୍ତୃତ ରିପୋର୍ଟ ଗୁଡ଼ିକୁ ସାମିଲ କରାଯାଇଛି। ଏତଦ୍ ବ୍ୟତୀତ ଅତିରିକ୍ତ ଦସ୍ତାବିଜରେ ଗୋଟା ବ୍ୟାରେଜର ୨୦୨୦ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ, ନେରେଡ଼ି ବ୍ୟାରେଜର ୨୦୦୬ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ, କେନ୍ଦ୍ରୀୟ ଜଳ ଆୟୋଗର ଗାଣିତିକ ଅଧ୍ୟୟନ, ବିଭିନ୍ନ ସମୟରେ କରାଯାଇଥିବା ଟେଣ୍ଡର ତଥା ଟ୍ରିବ୍ୟୁନାଲଙ୍କ ଆଦେଶ ଓ ରାୟକୁ ସଂଲଗ୍ନ କରାଯାଇଛି। ଦାଖଲ କରାଯାଇଥିବା ଅତରିକ୍ତ ଦସ୍ତାବିଜ ଗୁଡ଼ିକୁ ମାମଲାର ଚୂଡ଼ାନ୍ତ ଶୁଣାଣି ସମୟରେ ବିଚାର କରିବା ପାଇଁ ଓଡ଼ିଶା ପକ୍ଷରୁ ପ୍ରାର୍ଥନା କରାଯାଇଛି। ଏହି ଦସ୍ତାବିଜ ଗୁଡ଼ିକୁ ବିଚାର କରାନଗଲେ ଓଡ଼ିଶାକୁ ବ୍ୟାପକ କ୍ଷୟକ୍ଷତିର ସାମ୍ନା କରିବାକୁ ପଡ଼ିବ, ଯାହାର କୌଣସି ପ୍ରକାର ଭରଣା କରାଯାଇ ପାରିବ ନାହିଁ ବୋଲି ସତ୍ୟପାଠରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଏପ୍ରିଲ ୧୫ରେ ସୁପ୍ରିମକୋର୍ଟ ଓଡ଼ିଶା ଦ୍ବାରା ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲର ଆଦେଶ ବିରୁଦ୍ଧରେ ଦାଖଲ କରାଯାଇଥିବା ଦୁଇଟି ଭିନ୍ନ ଭିନ୍ନ ସ୍ବତନ୍ତ୍ର ଲିଭ୍ ପିଟିସନ ଗୁଡ଼ିକର ଏକତ୍ର ଶୁଣାଣୀ କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି। ଅପରପକ୍ଷେ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ୩୪୦୪ ପୃଷ୍ଠାର ଅତିରିକ୍ତ ନଥିପତ୍ର ସତ୍ୟପାଠକୁ ନେଇ ଖୁବ୍ ଶୀଘ୍ର ଆନ୍ଧ୍ରପ୍ରଦେଶ ଜବାବ ଦାଖଲ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର