ବଂଶଧାରା ଜଳବିବାଦ ମାମଲା: ଟ୍ରିବ୍ୟୁନାଲଙ୍କ ଅନ୍ତରୀଣ ରାୟ ବିରୁଦ୍ଧରେ ଦାଖଲ କରାଯାଇଥିବା ଏସଏଲପିକୁ ପ୍ରତ୍ୟାହାର କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ:  ବଂଶଧରା ଜଳ ବିବାଦର ଟ୍ରିବ୍ୟୁନାଲର ଅନ୍ତରୀଣ ଆଦେଶ ବିରୋଧରେ ରାଜ୍ୟ ସରକାରଙ୍କ ଦ୍ବାରା ଦାଖଲ କରାଯାଇଥିବା ସ୍ବତନ୍ତ୍ର ଲିଭ୍ ପିଟିସନ (ଏସଏଲପି)କୁ ଆଜି ପ୍ରତ୍ୟାହର କରିନିଆଯାଇଛି। ଆଜି ଏ ମାମଲାର ଶୁଣାଣି ସୁପ୍ରିମକୋର୍ଟର ବିଚାରପତି ଡି.ଓ୍ୱାଇ. ଚନ୍ଦ୍ରଚୂଡ଼ ଓ ବିଚାରପତି ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠରେ ହୋଇଥିଲା। ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଦ୍ବାରା ଡିସେମ୍ବର ୧୭, ୨୦୧୩ରେ ଅନ୍ତରୀଣ ରାୟ ପ୍ରକାଶ କରାଯାଇଥିଲା। ରାୟରେ ଟ୍ରିବ୍ୟୁନାଲ କେତେକ ସର୍ତ୍ତ ଭିତ୍ତିରେ ଆନ୍ଧ୍ର ପ୍ରଦେଶକୁ କାଟ୍ରାଗଡ଼ା ଠାରେ ସାଇଡ୍ ଚ୍ୟାନେଲ ଵାଏର ନିର୍ମାଣ କରିବା ପାଇଁ ଅନୁମତି ଦେଇଥିଲେ। ଯାହାକୁ ବିରୋଧ କରି ଓଡ଼ିଶା ପକ୍ଷରୁ ଜାନୁୟାରୀ ୨୦୧୪ରେ ସୁପ୍ରିମକୋର୍ଟରେ ଏସଏଲପି ଦାଏର କରାଯାଇଥିଲା। ଏହା ପରେ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ ଦ୍ବାର ସେପ୍ଟେମ୍ବର ୧୩, ୨୦୧୭ରେ ଚୂଡ଼ାନ୍ତ ରାୟ ପ୍ରକାଶ କରାଯାଇଥିଲା।

ଟ୍ରିବ୍ୟୁନାଲ କାଟ୍ରାଗଡ଼ା ଓ ନେରେଡ଼ି ପ୍ରକଳ୍ପ କାମ ଚାଲୁ ରଖିବା ପାଇଁ ଆନ୍ଧ୍ର ପ୍ରଦେଶକୁ ଅନୁମତି ଦେଇଥିଲେ। ଚୂଡ଼ାନ୍ତ ରାୟ ବିରୋଧରେ ମଧ୍ୟ ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟ ଡିସେମ୍ବର ୨୦୧୭ରେ ଏସଏଲପି ଦାଖଲ କରାଯାଇଥିଲା। ଚୂଡ଼ାନ୍ତ ରାୟ ବିରୁଦ୍ଧରେ ଦାଖଲ କରାଯାଇଥିବା ଏସଏଲପିର ଶୁଣାଣି ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟ ଧାର୍ଯ୍ୟ କରିଥିବା ବେଳେ ଅନ୍ତରୀଣ ରାୟ ବିରୁଦ୍ଧରେ ଦାଖଲ କରାଯାଇଥିବା ଏସଏଲପିକୁ ଆଜି ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଥିଲେ।

ସମ୍ବନ୍ଧିତ ଖବର