ସୁପ୍ରିମକୋର୍ଟରେ ବଂଶଧାରା ଜଳବିବାଦ ମାମଲା: ଜାନୁଆରି ୧୦କୁ ଶୁଣାଣି ଘୁଞ୍ଚିଲା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବଂଶଧାରା ଜଳବିବାଦ ମାମଲାର ଶୁଣାଣି ଆସନ୍ତା ଜାନୁଆରି ୧୦କୁ ଘୁଞ୍ଚାଇ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଡି ଵାଇ ଚନ୍ଦ୍ରଚୂଡ଼ ଓ ବିଚାରପତି ଋଷିକେଶ ରାୟଙ୍କ ଖଣ୍ଡପୀଠରେ ଆଜି ଏହି ଜଳବିବାଦ ମାମଲାର ଶୁଣାଣି କରାଯାଇଥିଲା।

ସୂଚନା ଅନୁସାରେ, ବଂଶଧାରା ଜଳବିବାଦ ମାମଲାକୁ ନେଇ ଟ୍ରିବ୍ୟୁନାଲଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ସେପ୍ଟେମ୍ବର ୨୦୧୭ର ଚୂଡ଼ାନ୍ତ ରାୟ ବିରୋଧରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପିଟିସନ ଦାୟର କରାଯାଇଥିଲା। ଏହି ପିଟିସନ ଉପରେ ଆଜି ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା। ଆଜିର ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜୟନ୍ତ ଭୂଷଣ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ, ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲର ସେପ୍ଟେମ୍ବର ୨୩ ର ନିର୍ଦ୍ଦେଶନାମାକୁ ଚାଲେଞ୍ଜ କରାଯାଇ ମଧ୍ୟବର୍ତ୍ତୀକାଳୀନ ଆବେଦନ ନଭେମ୍ବର ମାସରେ ଦାଖଲ କରାଯାଇଛି, ତେଣୁ ଖଣ୍ଡପୀଠଙ୍କୁ ବଂଶଧାରା ଜଳବିବାଦ ସମ୍ପର୍କିତ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଦୁଇଟି ଭିନ୍ନ ମାମଲା ଗୁଡ଼ିକର ଏକାଥରେ ଶୁଣାଣି କରାଯାଉ। ଅପରପକ୍ଷେ ଆନ୍ଧ୍ରପ୍ରଦେଶ ତରଫରୁ ବରିଷ୍ଠ ଆଇନଜୀବୀ ସିଏସ୍ ବୈଦ୍ୟନାଥନ୍ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଆବେଦନଗୁଡ଼ିକର ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି କରାଯିବାର କୌଣସି ଆବଶ୍ୟକତା ନଥିବା କହିଥିଲେ। ଏହାର ଜବାବରେ ଓଡ଼ିଶା ପକ୍ଷରୁ କୁହାଯାଇଥିଲା ଯେ, ବଂଶଧାରା ଜଳବିବାଦ ମାମଲାର ଚୂଡ଼ାନ୍ତ ରାୟର ସ୍ପଷ୍ଟୀକରଣ ପାଇଁ ଅନୁରୂପ ପିଟିସନ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ଦାଖଲ କରାଯାଇଛି। ଖଣ୍ଡପୀଠ ମାମଲାର ଶୁଣାଣି ଜାନୁଆରି ୧୦କୁ ଘୁଞ୍ଚାଇ ଦେଇଥିଲେ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବଂଶଧାରା ଜଳବିବାଦ ମାମଲାର ଶୁଣାଣି ପାଇଁ ପୂର୍ବରୁ ଟ୍ରିବ୍ୟୁନାଲ ମଧ୍ୟ ଜାନୁଆରି ୧୦ ତାରିଖକୁ ଧାର୍ଯ୍ୟ କରିଛନ୍ତି। ସେପ୍ଟେମ୍ବର ୨୩ରେ ନେରେଡ଼ି ପ୍ରକଳ୍ପ ଅଞ୍ଚଳର ଯୁଗ୍ମ ସର୍ଭେ ପାଇଁ ଓଡ଼ିଶା, ଆନ୍ଧ୍ର ଓ କେନ୍ଦ୍ରୀୟ ଜଳ ଆୟୋଗକୁ ଟ୍ରିବ୍ୟୁନାଲ ଅନ୍ତରୀଣ ନିର୍ଦ୍ଦେଶ ଦେବା ସହିତ ଅକ୍ଟୋବର ସୁଦ୍ଧା ଯୁଗ୍ମ ସର୍ଭେ କାର୍ଯ୍ୟ ଶେଷ କରି ଟ୍ରିବ୍ୟୁନାଲରେ ରିପୋର୍ଟ ଦାଖଲ ପାଇଁ ସମୟସୀମା ଧାର୍ଯ୍ୟ କରିଥିଲେ। ଟ୍ରିବ୍ୟୁନାଲର ସେପ୍ଟେମ୍ବର ୨୩ ଆଦେଶ ବିରୁଦ୍ଧରେ ଓଡ଼ିଶା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲା।

ସମ୍ବନ୍ଧିତ ଖବର