ନୂଆଦିଲ୍ଲୀ: ଫିଲ୍ମ ନିର୍ମାତା ସଞ୍ଜୟ ଲିଲା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ବିରୋଧ ଓ ବିବାଦ ଜାରି ରହିଥିବାବେଳେ ବଂଶାଲି ପ୍ରଥମ ଥର ଲାଗି ‘ପଦ୍ମାବତୀ’ ବିବାଦରେ ମୁହଁ ଖୋଲିଛନ୍ତି। ଫିଲ୍ମ ସଂପର୍କରେ ନିଜର ପକ୍ଷ ରଖି ବଂଶାଲି କହିଛନ୍ତି ‘ପଦ୍ମାବତୀ’ର ବିଷୟବସ୍ତୁ ସମ୍ପୂର୍ଣ୍ଣ ଭାବେ କାଳ୍ପନିକ। ଏହା ଏକ କାଳ୍ପନିକ କାହାଣୀ ଉପରେ ଆଧାରିତ ହୋଇଥିଲେ ମଧ୍ୟ ଇତିହାସକୁ କୌଣସି କ୍ଷେତ୍ରରେ ବିକୃତ କରିନାହିଁ।। ଏହା ମଲିକ ମହମ୍ମଦ ଜୟାସିଙ୍କ ମହାକାବ୍ୟ ‘ପଦ୍ମାବତୀ’ର ବିଷୟବସ୍ତୁ ଉପରେ ଆଧାରିତ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସେନସର ବୋର୍ଡ ମୁଖ୍ୟ ପ୍ରସୁନ ଯୋଶୀ କହିଛନ୍ତି ଯେ ଫିଲ୍ମଟିକୁ ଏକ ବିଶେଷଜ୍ଞ ପ୍ୟାନେଲ ଦେଖିବେ। ଏହି ପ୍ୟାନେଲ୍‌ରେ ବିଶିଷ୍ଟ ଐତିହାସିକମାନେ ସମ୍ପୃକ୍ତ ରହିବେ। ତେବେ ଫିଲ୍ମ ନିର୍ମାତା ପୁଣିଥରେ ଫିଲ୍ମଟି କଳ୍ପନା ଆଧାରିତ କି ଇତିହାସର ବିଷୟବସ୍ତୁ ଉପରେ ପର୍ଯ୍ୟବସିତ ସେନେଇ ସିବିଏଫସି ନିକଟରେ ଫିଲ୍ମଟିକୁ ଉପସ୍ଥାପନ କରିବେ। ଯଦିଓ ବଂଶାଲିଙ୍କର ଏହି ବୟାନ ଆନ୍ଦୋଳନକାରୀଙ୍କୁ ସନ୍ତୁଷ୍ଟ କରିବନି ତେବେ ଏହା ଇତିହାସର ଆଦୌ ବିକୃତିକରଣ କରିନାହିଁ ବୋଲି ବଂଶାଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ଉଲ୍ଲେଖଯୋଗ୍ୟ ‘ପଦ୍ମାବତୀ’ ଫିଲ୍ମରେ ରାଣୀ ପଦ୍ମାବତୀ ଏବଂ ଆଲାଉଦ୍ଦିନ ଖିଲ୍‌ଜିଙ୍କ ମଧ୍ୟରେ ରହିଥିବା ପ୍ରଣୟଭିତ୍ତିକ ଦୃଶ୍ୟକୁ ନେଇ ବିବାଦ ଉଗ୍ର ରୂପ ନେଇଛି। ପାଞ୍ଚଟି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ରାଜ୍ୟରେ ଫିଲ୍ମ ରିଲିଜ୍‌କୁ ବିରୋଧ କରିଛନ୍ତି। ପ୍ରଥମ ରାଜ୍ୟ ଭାବେ ଗୁଜରାଟରେ ଫିଲ୍ମ ରିଲିଜ୍‌ ହେଲେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ଦର୍ଶାଇ ବିଜ୍ଞପ୍ତି ଜାରି କରିଛି।
ଦୀପିକାଙ୍କ ସମର୍ଥନରେ ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରଚାର ଅଭିଯାନ
କୌଣସି ଫିଲ୍ମର ବିଷୟବସ୍ତୁକୁ ବିରୋଧ କରି ବିବାଦ ଓ ଆନ୍ଦୋଳନ ହେବା ନୂଆ କଥା ନୁହେଁ। କିନ୍ତୁ ‘ପଦ୍ମାବତୀ’ ବିବାଦ ସବୁ ବିବାଦକୁ ଟପିଯାଇଛି। ‘ପଦ୍ମାବତୀ’ ନାୟିକା ଦୀପିକା ପାଦୁକୋନ ଏବଂ ଫିଲ୍ମ ନିର୍ମାତା ସଞ୍ଜୟ ଲିଲା ବଂଶାଲିଙ୍କୁ ମିଳିଥିବା ହତ୍ୟା ଧମକକୁ ବଲିଉଡ୍‌ ତୀବ୍ର ନିନ୍ଦା କରିଛି। ଅଭିନେତ୍ରୀ ସବାନା ଆଜ୍‌ମି, କାଟ୍ରିନା କୈଫ୍‌ ଏବଂ କଙ୍ଗନା ରାଣାଓ୍ଵତ ଦୀପିକାଙ୍କ ସୁରକ୍ଷା ଲାଗି ସରକାରଙ୍କୁ ଏକ ପତ୍ର ଲେଖିବାର ଯୋଜନା କରୁଥିବା ଜଣାଯାଇଛି। ସେମାନେ ଦୀପିକାଙ୍କ ସୁରକ୍ଷା ଲାଗି ପ୍ରଚାର ଅଭିଯାନ ଆରମ୍ଭ କରୁଛନ୍ତି। ବିଭିନ୍ନ ବରିଷ୍ଠ ଅଭିନେତା ଏବଂ ଅଭିନେତ୍ରୀମାନେ ଦୀପିକାଙ୍କ ସୁରକ୍ଷା ଲାଗି ପ୍ରଚାର ଅଭିଯାନକୁ ସମର୍ଥନ କରିଛନ୍ତି।