ବ୍ୟାପମ୍‌ ଦୁର୍ନୀତି: ୫୯୨ ଜଣଙ୍କ ନାମରେ ଚାର୍ଜସିଟ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବ୍ୟାପମ୍‌ ଦୁର୍ନୀତି ମାମଲାରେ ସିବିଆଇ ୫୯୨ଜଣ ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ ଦାଖଲ କରିଛି । ୨୦୧୨ ମସିହାର ପ୍ରି-ମେଡିକାଲ ଟେଷ୍ଟ ସମୟରେ ହୋଇଥିବା ଏହି ବ୍ୟାପମ୍‌ ଦୁର୍ନୀତି ମାମଲାରେ ୩୩୪ ଜଣ ଛାତ୍ରଛାତ୍ରୀ,୧୫୫ଜଣ ଅଭିଭାବକ, ୪୬ ଜଣ ପରୀକ୍ଷା ସମୀକ୍ଷକ,୨୨ଜଣ ମଧ୍ୟସ୍ଥି ଓ ମଧ୍ୟପ୍ରଦେଶ ଡାକ୍ତରୀ ଶିକ୍ଷା ବିଭାଗର ୨ଜଣ ଅଧିକାରୀଙ୍କ ନାମ ଚାର୍ଜସିଟରେ ରହିଛି । ପୂର୍ବରୁ ସିବିଆଇ ଦେଇଥିବା ରିପୋର୍ଟ ଅପେକ୍ଷା ଏହି ଚାର୍ଜସିଟରେ ଅଧିକ୨୪୫ଜଣଙ୍କ ନାମ ରହିଛି । ବ୍ୟାପମ୍‌ ଦୁର୍ନୀତି ମାମଲାର ସମସ୍ତ ରିପୋର୍ଟ ସିବିଆଇ ରାଜ୍ୟ ସରକାରଙ୍କୁ ହସ୍ତଗତ କରିଛି । ଏହା ସହିତ ଭାରତୀୟ ମେଡିକାଲ କାଉନ୍‌ସିଲକୁ ମଧ୍ୟ ଚିଠି ଲେଖି ଏନେଇ ବିଚାର କରିବାକୁ ସିବିଆଇ କହିଛି ।

୨୦୧୨ ମସିହାରେ ମେଡିକାଲ କଲେଜ ଆଡମିସନ ପୂର୍ବରୁ ହେଉଥିବା ପ୍ରି ମେଡିକାଲ ଟେଷ୍ଟରେ ଚଞ୍ଚକତା କରି ମଧ୍ୟପ୍ରଦେଶର ୪ଟି ମେଡିକାଲ କଲେଜରେ ଆଡମିସନ କରାଯାଇଥିଲା । ସେହି ବର୍ଷ ମେଡିକାଲ ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟ ପ୍ରସ୍ତୁତ କରିଥିବା ଗାଇଡଲାଇନ୍‌ର ମଧ୍ୟ ଉଲ୍ଲଂଘନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟ ସରକାରଙ୍କ ଅଧୀନସ୍ଥ କିଛି ସଂରକ୍ଷିତ ସିଟ ମଧ୍ୟ ପ୍ରକୃତ ହକ୍‌ଦାରଙ୍କୁ ମିଳିନଥିଲା । ବିପୁଳ ପରିମାଣର ଅର୍ଥ କାରବାର ହୋଇଥିବା ଏହି ପରୀକ୍ଷାରେ ପ୍ରକୃତ ହକ୍‌ଦାର ସିଟ ନ ପାଇବାରୁ ଘଟଣାର ପର୍ଦ୍ଦାଫାସ ହୋଇଥିଲା । ୪ଟି ମେଡିକାଲ କଲେଜର ଅଧ୍ୟକ୍ଷ ବାହାର ରାଜ୍ୟରୁ ପୂର୍ବରୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆଣି ଅନ୍ୟ ପିଲାଙ୍କ ନାମରେ ପରୀକ୍ଷା କରାଇଥିଲେ । କିଛି କ୍ଷେତ୍ରରେ ଅଭିଭାବକମାନେ କପିର ମଧ୍ୟ ବନ୍ଦୋବସ୍ତ କରିଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି ।

ସମ୍ବନ୍ଧିତ ଖବର