ପଞ୍ଚଭୂତରେ ବିଲୀନ ହେଲେ ବାପି ଲାହିରି

ମୁମ୍ବାଇ : ହିନ୍ଦୀ ସିନେମା ଜଗତର ଖ୍ୟାତନାମା ସଂଗୀତଜ୍ଞ ବାପି ଲାହିରି ଗୁରୁବାର ଦିନ ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଫେବ୍ରୁଆରି ୧୫ ମଧ୍ୟରାତ୍ରରେ ସ୍ଲିପ୍ ଆପ୍ନିଆ (ନିଦ୍ରିତ ଅବସ୍ଥାରେ ଶ୍ବାସ ବନ୍ଦ ହୋଇଯିବା) ହେତୁ ତାଙ୍କର ପରଲୋକ ହୋଇଯାଇଥିଲା। ତାଙ୍କ ପୁଅ ବାପ୍ପା ଲାହିରି ଆମେରିକାରୁ ଫେରିବା ପରେ  ଗୁରୁବାର ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ ତାଙ୍କର ଦାହ ସଂସ୍କାର ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ଶୁଭେଚ୍ଛୁ ଓ ବନ୍ଧୁ ଆଜି ତାଙ୍କ ଶେଷଯାତ୍ରାର କ୍ରିୟାକର୍ମରେ ଭାଗ ନେଇଥିଲେ। ବାପ୍ପା ବାପାଙ୍କୁ ମୁଖାଗ୍ନି ଦେଇଥିଲେ। ଶେଷକୃତ୍ୟରେ ସୋଫି ଚୌଧୁରୀ, ଶକ୍ତି କପୁର, ବିଦ୍ୟା ବାଲାନ, ଅଳକା ୟାଜ୍ଞିକ, ସଂଗୀତଜ୍ଞ ଅଭିଜିତ୍, ଶାନ ପ୍ରମୁଖ ବଲିଉଡ୍ ସେଲିବ୍ରିଟିମାନେ ଯୋଗ ଦେଇଥିଲେ। ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ଅଜୟ ଦେବଗନ, ଆୟୁଷ୍ମାନ୍ ଖୁରାନା, ଅନୁଷ୍କା ଶର୍ମା ଓ ଅନ୍ୟମାନେ ଗତକାଲି ଏହି କିମ୍ବଦନ୍ତୀ ସଂଗୀତଜ୍ଞଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବାପି ଲାହିରିଙ୍କର ସ୍ତ୍ରୀ, ପୁଅ ବାପ୍ପା ଲାହିରି ଓ ଝିଅ ରେମା ଲାହିରି ଅଛନ୍ତି। ଆକ୍ସନ ନିର୍ଦ୍ଦେଶକ ମହେନ୍ଦ୍ର ବର୍ମାଙ୍କ ଝିଅ ତନିଶାଙ୍କୁ ବାପ୍ପା ବିବାହ କରିଛନ୍ତି।

ସମ୍ବନ୍ଧିତ ଖବର