ଅବସର ଗ୍ରହଣ ପରେ ଜଷ୍ଟିସ୍‌ ଚେଲମେଶ୍ୱର ଗଣମାଧ୍ୟମରେ ଦେଉଥିବା ବିବାଦୀୟ ମନ୍ତବ୍ୟର ତୀବ୍ର ବିରୋଧ କଲା ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟର ବିଚାରପତି ପଦରୁ ଗତ ଜୁନ୍‌ ୨୨ ତାରିଖରେ ଅବସର ଗ୍ରହଣ କରିଥିବା ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଜେ ଚେଲ୍‌ମେଶ୍ୱରଙ୍କ ଆଜି କଟୁ ସମାଲୋଚନା କରିଛି ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ। ନିଜ ପଦବିରୁ ଅବସର ଗ୍ରହଣ କରିବାର ତିନିଦିନ ପରେ ଜଷ୍ଟିସ୍‌ ଚେଲ୍‌ମେଶ୍ୱର ଗଣମାଧ୍ୟମରେ ଯେଉଁ ସବୁ ‘ବିବାଦୀୟ’ ଓ ‘ଅପ୍ରାସଙ୍ଗିକ’ ବିବୃତ୍ତି ଦେଇଛନ୍ତି  ତାହା ନିନ୍ଦନୀୟ ଏବଂ ଆଇନ୍‌ଜୀବୀମାନେ ତାହାକୁ ଆଦୌ ବରଦାସ୍ତ କରିବେ ନାହିଁ ବୋଲି କହିଛି ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଜଷ୍ଟିସ୍‌ ଚେଲମେଶ୍ୱର ଗତ ୨୨ ତାରିଖରେ ବିଚାରପତି ପଦରୁ ଅବସର ଗ୍ରହଣ କରିବା ପରେ ଜଷ୍ଟିସ୍‌ କେଏମ୍‌ ଯୋସେଫ୍‌ଙ୍କୁ ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ କଲେଜିୟମ୍‌ର ପ୍ରସ୍ତାବକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେବା ଘଟଣାର ତୀବ୍ର ବିରୋଧ ଓ ସମାଲୋଚନା କରିଛନ୍ତି। ଏଥିସହ ସୁପ୍ରମ୍‌ କୋର୍ଟ ଓ ଏହାର ବିଚାରପତିଙ୍କ ଠାରୁ ଆରମ୍ଭ କରି ଆଇନ୍‌ଜୀବୀମାନଙ୍କ ବିରୋଧରେ ଅନେକ କଟୁ ମନ୍ତବ୍ୟମାନ ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆର ସଭାପତି ମନନ କୁମାର ମିଶ୍ର ଜଷ୍ଟିସ୍‌ ଚେଲମେଶ୍ୱରଙ୍କ ଏପ୍ରକାର ଆଚରଣର ତୀବ୍ର ବିରୋଧ କରିବା ସହ ଜଷ୍ଟିସ୍‌ ଚେଲମ୍‌ଶ୍ୱରଙ୍କ ଏପ୍ରକାରର ଆଚରଣ ଆଦୌ ଶୋଭନୀୟ କିମ୍ବା ଗ୍ରହଣଯୋଗ୍ୟ ନୁହେଁ ବୋଲି ମଧ୍ୟ ତାଙ୍କୁ ଚେତାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର