ନୂଆଦିଲ୍ଲୀ : ଦିଲ୍ଲୀର ସିଂଘୁ ସୀମା ଚାଷୀ ଆନ୍ଦୋଳନସ୍ଥଳରେ ଗତକାଲି ଅତି ବର୍ବର ହତ୍ୟାକାଣ୍ଡ ଘଟିଛି। ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିବା ପରେ ତାଙ୍କ ହାତ କାଟି ଫୋପାଡ଼ି ଦିଆଯିବା ସହ ଶବକୁ ବ୍ୟାରିକେଡ୍ରେ ଝୁଲାଇ ଦିଆଯାଇଥିଲା। ଚାଷୀ ଆନ୍ଦୋଳନ ସ୍ଥଳରେ ଗତକାଲି ଏକ ପୁଲିସ ବ୍ୟାରିକେଡ୍ରୁ ମୃତ ଯୁବକଙ୍କ ଶବ ଉଦ୍ଧାର ପରେ ତୀବ୍ର ଉତ୍ତେଜନା ଲାଗି ରହିଛି। ଗତକାଲି ଭୋର ୫ଟା ସମୟରେ ପୁଲିସ ମୃତଦେହ ଉଦ୍ଧାର କରିଥିଲା। ହତ୍ୟାର ଶିକାର ହୋଇଥିବା ଏହି ବ୍ୟକ୍ତି ହେଉଛନ୍ତି ଜଣେ ଦଳିତ ଶ୍ରମିକ। ଶିଖ୍ ଧର୍ମ ଗ୍ରନ୍ଥକୁ ଅପମାନିତ କରିଥିବା ଅଭିଯୋଗରେ ତାଙ୍କୁ ନିହଙ୍ଗ ଶିଖ୍ ସଂପ୍ରଦାୟର କେତେକ ବ୍ୟକ୍ତି ଏଭଳି ନିର୍ମମ ହତ୍ୟା କରିଥିବା ସୂଚନା ମିଳିଛି। ସରବଜିତ ସିଂହ ନାମକ ଜଣେ ନିହଙ୍ଗ ଶିଖ୍ ହତ୍ୟା ପାଇଁ ନିଜକୁ ଦାୟୀ କରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଗତକାଲି ସନ୍ଧ୍ୟାରେ ପୁଲିସ ତାକୁ ଗିରଫ କରିଥିବା ବେଳେ ଆଜି ସୋନିପତ କୋର୍ଟରେ ହାଜର କରାଯାଇଥିଲା। ତାକୁ ୭ ଦିନ ପୁଲିସ ରିମାଣ୍ଡରେ ପଠାଯାଇଛି। ଅଭିଯୁକ୍ତ ସରବଜିତ ସିଂହ ଏହି ହତ୍ୟା ମାମଲାରେ ସଂପୃକ୍ତ ଆଉ ୪ ଜଣଙ୍କ ନାମ କହିଛି। ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ମାମଲାରେ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।
ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ଲଖବୀର ସିଂହ। ବୟସ ୩୫। ପଂଜାବ ତର୍ନ ତରନ ଜିଲ୍ଲାର ଚିମା କଲନ ଗ୍ରାମର ସେ ଜଣେ ଦଳିତ ଶ୍ରମିକ। ହତ୍ୟା ପରେ ତାଙ୍କ ବାମ ହାତ କାଟି ଦିଆଯାଇଛି ଏବଂ ଉଭୟ ଗୋଡ଼ ଭାଙ୍ଗି ଦିଆଯାଇଛି। ସୀମା ସ୍ଥିତି ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି। ପୀଡ଼ିତ ପରିବାର ସଦସ୍ୟ ଏବଂ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଲଖବୀରଙ୍କୁ ଅର୍ଥ ଲୋଭ ଦେଖାଇ ସିଂଘୁ ସୀମା ନିଆଯାଇଥିଲା। ମିଳିଥିବା ସୂଚନାନୁଯାୟୀ, ଲଖବୀର ଗତ ୩-୪ ଦିନ ଧରି ନିହଙ୍ଗ ଶିଖ୍ମାନଙ୍କ ସହ ସିଂଘୁ ସୀମା ନିକଟରେ ରହୁଥିଲା। ତେବେ ସେ ନିହଙ୍ଗମାନଙ୍ଗ ପବିତ୍ର ଗ୍ରନ୍ଥକୁ ଅପମାନିତ କରିଥିବା ଅଭିଯୋଗରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ସ୍ବରାଜ ଇଣ୍ଡିଆ ନେତା ଯୋଗେନ୍ଦ୍ର ଯାଦବ ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ଏବଂ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ୍) ଏହି ଘଟଣାରେ ନ୍ୟାୟିକ ତଦନ୍ତ ପାଇଁ ସହଯୋଗ କରିବ ବୋଲି ସେ କହିଛନ୍ତି। ସରକାର ଉକ୍ତ ଘଟଣାକୁ ଭଲଭାବେ ତଦନ୍ତ କରିବା ଆବଶ୍ୟକ ବୋଲି ଏସ୍କେଏମ୍ ପକ୍ଷରୁ କୁହାଯାଇଛି। ବିଜେପି ଏହି ଘଟଣାରେ ଚାଷୀ ନେତାମାନଙ୍କ ଉପରେ ବର୍ଷିଛି। ବିଜେପି କହିଛି ଏହି ଆନ୍ଦୋଳନ ପଛରେ ଥିବା ଅରାଜକତାବାଦକୁ ପଦାକୁ ଅଣାଯିବ। ଅନ୍ୟପକ୍ଷେ କଂଗ୍ରେସ କହିଛି, କୌଣସି ବି ସ୍ଥାନରେ ହିଂସାର ସ୍ଥାନ ନାହିଁ ଏବଂ ଏହି ଘଟଣାରେ ନିରପେକ୍ଷ ତଦନ୍ତ କରିବା ସରକାରଙ୍କ ଦାୟିତ୍ବ।
ହତ୍ୟା ପଛରେ ଷଡ଼ଯନ୍ତ୍ର ରହିଛି, ନ୍ୟାୟ ଦାବି କଲେ ଲଖବୀରଙ୍କ ପରିବାର ସଦସ୍ୟ
ନୂଆଦିଲ୍ଲୀ: ସିଂଘୁ ସୀମାରେ ଚାଷୀ ଆନ୍ଦୋଳନ ସ୍ଥଳରେ କିଛି ନିହଙ୍ଗଙ୍କ ଦ୍ବାରା ଦଳିତ ଶ୍ରମିକ ଲଖବୀର ସିଂହଙ୍କୁ ହତ୍ୟା କରାଯିବା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି ବୋଲି ପରିବାର ଲୋକେ କହିଛନ୍ତି। ସେମାନେ ଏ ବାବଦରେ ଉଚ୍ଚସ୍ତରୀୟ ତଦନ୍ତ ସହ ସରକାରଙ୍କଠାରୁ ନ୍ୟାୟ ଦାବି କରିଛନ୍ତି। ପବିତ୍ର ‘ସରବଲୋହ ଗ୍ରନ୍ଥ’କୁ ଅସମ୍ମାନ କରିଥିବା ଅଭିଯୋଗ କରି ତାଙ୍କୁ ବର୍ବର ହତ୍ୟା ମାମଲାରେ ସେମାନେ କହିଛନ୍ତି ଯେ ଲଖବୀର କେବେ ବି କୌଣସି ଧର୍ମଗ୍ରନ୍ଥକୁ ଅପମାନିତ କରବା ପ୍ରଶ୍ନ ଉଠୁନାହିଁ। ଗତ ସପ୍ତାହରେ ସେ ତାଙ୍କ ଭଉଣୀଙ୍କଠାରୁ ୫୦ ଟଙ୍କା ନେଇ ଘରୁ ବାହାରି ଯାଇଥିଲେ। ସେ ନିହଙ୍ଗମାନଙ୍କ ସହ ସିଂଘୁ ସୀମାରେ ଥିବା ସଂକ୍ରାନ୍ତରେ ତାଙ୍କ ପରିବାର ସଦସ୍ୟମାନେ କିଛି ଜାଣିନଥିଲେ। ତାଙ୍କୁ ଟଙ୍କା ଲୋଭ ଲୋଭ ଦେଖାଇ କେହି ଏଭଳି କାମ କରିବା ପାଇଁ ବାଧ୍ୟ କରିଥାଇପାରେ ବୋଲି ତାଙ୍କ ପରିବାର ସଦସ୍ୟ କହିଛନ୍ତି। ଲଖବୀର ସିଂହଙ୍କର ୩ ଝିଅ ଅଛନ୍ତି ଏବଂ ଘରର ଆର୍ଥିକ ସ୍ଥିତି ଅତି ଶୋଚନୀୟ। ତାଙ୍କ ପତ୍ନୀ ୩ ଝିଅଙ୍କୁ ଧରି ନିଜ ବାପ ଘରେ ରହୁଛନ୍ତି।