ଡଲାସ: ବୁଧବାର ଡଲାସର ଏକ ମୋଟେଲ (ରାସ୍ତାକଡ଼ ଢାବା)ରେ ଜଣେ ୫୦ ବର୍ଷୀୟ ଭାରତୀୟ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ଓ ପୁଅଙ୍କ ସାମ୍ନାରେ ଅତି ନିର୍ମମ ଭାବରେ ମୁଣ୍ଡ କାଟି ହତ୍ୟା କରାଯାଇଛି। ୱାସିଂମେସିନକୁ ନେଇ ଏକ ବିବାଦ ହିଂସାରେ ପରିଣତ ହୋଇଥିଲା। ଆକ୍ରମଣର ଭିଡିଓରେ ପୀଡିତ ଜଣକ ଚିତ୍କାର କରି ବିକଳରେ ନିଜ ଜୀବନ ପାଇଁ ଦୌଡୁଥିବାର ଦେଖିବାକୁ ମିଳୁଛି। ଏହି ହତ୍ୟା ଘଟଣାରେ ପୁଲିସ ୩୭ ବର୍ଷୀୟ ୟୋର୍ଡାନିସ୍ କୋବୋସ୍-ମାର୍ଟିନେଜକୁ ଗିରଫ କରିଛି। ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ କୋବୋସ୍-ମାର୍ଟିନେଜକୁ ଜଣେ ପୁରୁଣା ଅପରାଧୀ ଓ କ୍ୟୁବା ନାଗରିକ ଭାବରେ ଚିହ୍ନଟ କରିଛି, ଯାହାକୁ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ମୁକ୍ତ କରିଦେଇଥିଲେ। ବୁଧବାର ସକାଳେ ଡଲାସର ଡାଉନଟାଉନ୍ ସୁଇଟ୍ସ ମୋଟେଲରେ ଏହି ଭୟଙ୍କର ଆକ୍ରମଣ ଘଟିଥିଲା, ଯେଉଁଠାରେ ପୀଡିତ ଚନ୍ଦ୍ର ନାଗମଲ୍ଲାୟା ଓ କୋବୋସ୍-ମାର୍ଟିନେଜ୍ କର୍ମଚାରୀ ଥିଲେ। 

Advertisment

ସୂଚନା ଅନୁଯାୟୀ, ନାଗମଲ୍ଲାୟା କୋବୋସ୍-ମାର୍ଟିନେଜ୍ ଓ ଜଣେ ମହିଳା ସହକର୍ମୀଙ୍କ ନିକଟକୁ ଯାଇ ଭଙ୍ଗା ମେସିନ୍ ବ୍ୟବହାର ନ କରିବାକୁ କହିଥିଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଏବଂ ଅଭିଯୁକ୍ତ ନାଗମଲ୍ଲାୟାଙ୍କୁ ଗଣ୍ଡିରୁ ମୁଣ୍ଡ ଅଲଗା କରିବା ପର୍ଯ୍ୟନ୍ତ ଏକ କଟୁରିରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥି‌ଲା। ମୋଟେଲର ଫ୍ରଣ୍ଟ ଅଫିସରେ ଥିବା ନାଗମଲ୍ଲାୟାଙ୍କ ପତ୍ନୀ ଓ ପୁଅ ତାଙ୍କୁ ବଞ୍ଚାଇବା ପାଇଁ ଦୌଡ଼ି ଆସିଥିଲେ କିନ୍ତୁ ସେମାନଙ୍କୁ ଠେଲି ଦିଆଯାଇଥିଲା। ଏହି ଆକ୍ରମଣ ପୂର୍ବ ଯୋଜନାବଦ୍ଧ କି ନାହିଁ ତାହା କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି। ହ୍ୟୁଷ୍ଟନରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ୍ ନାଗମଲ୍ଲାଇଙ୍କ ହତ୍ୟାରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ସେମାନେ ପରିବାର ସହ ଯୋଗାଯୋଗରେ ଅଛନ୍ତି ।