କଟକ/ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ବସ୍ତି ମିଳିଛି। ସେ ବିଧାୟକ ଭାବେ କାର୍ଯ୍ୟ କରିପାରିବେ ବୋଲି ପ୍ରାରମ୍ଭିକ ଶୁଣାଣିରେ ସୁପ୍ରିମକୋର୍ଟ ରାୟ ଦେବା ସହିତ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରି ଓଡ଼ିଶା ହାଇକୋର୍ଟ ୨୦୨୪ ମାର୍ଚ୍ଚ ୪ରେ ଦେଇଥିବା ରାୟ ଉପରେ ସର୍ତ୍ତମୂଳକ ରହିତାଦେଶ ଜାରି କରିଛନ୍ତି। ଯଦିଓ ସାଧାରଣ ନିର୍ବାଚନ ପୂର୍ବରୁ ଏବେ ଆଉ ବିଧାନସଭା ଅଧିବେଶନ ହେବାର ନାହିଁ, ତଥାପି ବିଧାନସଭାରେ ଶ୍ରୀ ମୋକିମ ଭୋଟ ଦେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କିନ୍ତୁ ବିଧାନସଭା କାର୍ଯ୍ୟଧାରା (ପ୍ରୋସିଡିଂ)ରେ ସେ ଅଂଶଗ୍ରହଣ କରିପାରିବେ। ବିଧାନସଭା ସଦସ୍ୟ ଭାବେ ପାଇବାକୁ ଥିବା ସମସ୍ତ ଭତ୍ତା ଓ ସୁବିଧା ପାଇବାକୁ ବି ଶ୍ରୀ ମୋକିମ ଯୋଗ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହିତ ପ୍ରତିପକ୍ଷ ଦେବାଶିଷ ସାମନ୍ତରାୟଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ କେ.ଭି.ବିଶ୍ବନାଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ମୋକିମଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୦କୁ ଧାର୍ଯ୍ୟ କରାଯାଇଛି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ବାରବାଟୀ-କଟକ ବିଧାୟକ ଭାବେ ଶ୍ରୀ ମୋକିମଙ୍କ ନିର୍ବାଚନକୁ ଚାଲେଞ୍ଜ କରି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଦାୟର କରିଥିବା ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ୨୦୨୪ ମାର୍ଚ୍ଚ ୪ରେ ରାୟ ପ୍ରକାଶ କରିଥିଲେ। ଶ୍ରୀ ମୋକିମଙ୍କ ନିର୍ବାଚନକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିଥିଲେ। ଜନ ପ୍ରତିନିଧି ଆଇନର ଧାରା ୧୫୧-କ ଅନୁସାରେ ବାରବାଟୀ-କଟକ ନିର୍ବାଚନୀମଣ୍ଡଳୀ ଖାଲି ପଡ଼ିଛି (କାଜୁଆଲ ଭାକନ୍ସି) ବୋଲି ହାଇକୋର୍ଟ କହିଥିଲେ। ୨୦୧୯ ନିର୍ବାଚନ ସମୟରେ ଶ୍ରୀ ମୋକିମଙ୍କ ନାମାଙ୍କନ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଦାଖଲ ହୋଇନଥିଲା। ଶ୍ରୀ ମୋକିମ ନାମାଙ୍କନରେ ଆବଶ୍ୟକ ତଥ୍ୟ ଉଲ୍ଲେଖ କରିନଥିଲେ। ରିଟର୍ଣ୍ଣିଂ ଅଫିସର ଶ୍ରୀ ମୋକିମଙ୍କ ନାମାଙ୍କନ ଖାରଜ କରିବା ଉଚିତ ଥିଲା। ନାମାଙ୍କନ ବେଳେ ଶ୍ରୀ ମୋକିମ ଦାଖଲ କରିଥିବା ସତ୍ୟପାଠରେ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସଂକ୍ରାନ୍ତରେ ଉପଯୁକ୍ତ ତଥ୍ୟ ଓ ସଂପୂର୍ଣ୍ଣ ଘୋଷଣାନାମା ଦେଇନଥିଲେ। ଏହାଦ୍ବାରା ନିର୍ବାଚନ ପ୍ରଭାବିତ ହୋଇଥିଲା। ତେଣୁ ଶ୍ରୀ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉଛି ବୋଲି ହାଇକୋର୍ଟ କହିଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ଶ୍ରୀ ମୋକିମ ସୁପ୍ରିମକୋର୍ଟରେ ଚାଲେଞ୍ଜ କରି ଆବେଦନ ଦାୟର କରିଥିଲେ। ଶ୍ରୀ ମୋକିମଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଏସ.ମୁରଲୀଧର ଓ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।