ନ୍ୟୁଜ୍ ଚାନେଲ୍‌ ରେଟିଙ୍ଗ୍ ସ୍ଥଗିତ ରଖିଲା ‘ବାର୍କ’; ନିଷ୍ପତ୍ତିକୁ ‘ଏନ୍‌ବିଏ’ର ସ୍ବାଗତ

ନୂଆଦିଲ୍ଲୀ: ୧୨ ସପ୍ତାହ ନିମନ୍ତେ ‘ବ୍ରଡ୍‌କାଷ୍ଟ୍‌ ଅଡିଏନ୍ସ୍‌ ରିସର୍ଚ କାଉନ୍‌ସିଲ୍’ (ବାର୍କ) ନ୍ୟୁଜ୍‌ ଚାନେଲ୍‌ଗୁଡ଼ିକର ‘ଟେଲିଭିଜନ୍ ଭିଉଅର୍‌ସିପ୍ ରେଟିଙ୍ଗସ୍‌’ ଆକଳନ ସ୍ଥଗିତ ରଖିଛି।

ଏହି ଆଦେଶ ତୁରନ୍ତ ସମସ୍ତ ହିନ୍ଦୀ, ଇଂରାଜି ନ୍ୟୁଜ୍ ଏବଂ ବିଜ୍‌ନେସ୍‌ ନ୍ୟୁଜ୍‌ ଚାନେଲ୍‌ ପ୍ରତି ଲାଗୁ କରାଯିବ। ଏହି ସମୟ ମଧ୍ୟରେ ‘ବାର୍କ’ କୌଣସି ନ୍ୟୁଜ୍‌ ଚାନେଲ୍‌ଙ୍କର ସାପ୍ତାହିକ  ରେଟିଙ୍ଗ୍ ପ୍ରକାଶ କରିବ ନାହିଁ। କିନ୍ତୁ, ‘ବାର୍କ’ ପ୍ରତି ସପ୍ତାହରେ ରାଜ୍ୟ ଓ ଭାଷା ଆଧାରରେ ପୃଥକ୍ ପୃଥକ୍ ନ୍ୟୁଜ୍‌ର ଅଡିଏନ୍‌ସ୍ ଆକଳନ ପ୍ରକାଶ କରିବ।

Image Courtesy of India Today

ନିକଟରେ  ସାମ୍ନାକୁ ଆସିଥିବା ଟିଆରପି ଦୁର୍ନୀତିକୁ  କାରଣରୁ ‘ବାର୍କ’ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଥିବା ଏକ ବିବୃତିରେ କହିଛି । ବିଭିନ୍ନ ସ୍ଥାନରେ ଲଗାଯାଉଥିବା ପ୍ୟାନେଲ୍‌ଗୁଡ଼ିକରୁ ସହଜରେ ତଥ୍ୟ ସଂଗ୍ରହ କରି ନ ହେବା ଭଳି ବ୍ୟବସ୍ଥା କରିବାକୁ ‘ବାର୍କ’ ନିଜର ବୈଷୟିକ କମିଟିକୁ କହିଛି । ଏହି କାର୍ଯ୍ୟ ଲାଗି ପ୍ରାୟ ୮ ରୁ ୧୨ ସପ୍ତାହ ସମୟ ଲାଗିବ।

‘ବାର୍କ’ର ଏହି ନିଷ୍ପତ୍ତିକୁ ‘ନ୍ୟୁଜ୍ ‌ବ୍ରଡ୍‌କାଷ୍ଟର୍ସ ଆସୋସିଏସନ୍’ (ଏନ୍‌ବିଏ) ସ୍ବାଗତ କରିଛି । ଏହି ସ୍ଥଗିତାଦେଶ ସଠିକ ମାର୍ଗରେ ପରିଚାଳିତ ହେବା ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି  ‘ଏନ୍‌ବିଏ’ କହିଛି ।

ସମ୍ବନ୍ଧିତ ଖବର