ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲିରେ ଶୁକ୍ରବାର ହୋଇଥିବା ଦଙ୍ଗା ପରେ ପୁଲିସ ଏବେ ଆକ୍ସନ ମୋଡରେ। ଏହି ଘଟଣା ପରେ ପୁଲିସ ଦଙ୍ଗାର ମାଷ୍ଟରମାଇଣ୍ଡ ମୌଲାନା ତୌକିର ରଜାଙ୍କ ସମେତ ୮ଜଣଙ୍କୁ ଗିରଫ କରିଛି। ଏହା ସହ ୨୪ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି ଏବଂ ୨ହଜାର ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ଦଙ୍ଗା ପରେ ବରେଲିର ପାଞ୍ଚଟି ଭିନ୍ନ ଭିନ୍ନ ଥାନାରେ ୧୧ଟି ଏଫଆଇଆର ରୁଜୁ ହୋଇଛି। ଚାରୋଟି ଅଞ୍ଚଳର ସିସିଟିଭି ଫୁଟେଜ୍ ମଧ୍ୟ ସ୍କାନ କରାଯାଉଛି। ସୂଚନା ମିଳିଛି ଯେ, ଦଙ୍ଗାରେ ୧୭ଜଣ ପୁଲିସ କର୍ମଚାରୀ ଏବଂ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପୁଲିସ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। ଏହି ଫୁଟେଜ୍ ଆଧାରରେ, ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରାଯାଉଛି। ପୁଲିସର ସୂଚନା ମୁତାବକ, ସହରର ତିନି କିମ୍ବା ୪ଟି ସ୍ଥାନରେ ଏକକାଳୀନ ଦଙ୍ଗା ହୋଇଥିଲା। ଦଙ୍ଗାକାରୀମାନେ ଗୁଳିଚାଳନା କରିବା ସହ ପଥର ଫିଙ୍ଗିଥିଲେ। ପୁଲିସ ଏବେ ଏପରି ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି।
କିଛି ସମୟ ପୂର୍ବରୁ ଲକ୍ଷ୍ନୌରେ ବିକଶିତ ଉତ୍ତରପ୍ରଦେଶ ଭିଜନ @୨୦୪୭ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ, "ଗତକାଲି ବରେଲିର ଜଣେ ମୌଲାନା ଭୁଲିଗଲେ ଯେ, ରାଜ୍ୟରେ କିଏ କ୍ଷମତାରେ ଅଛି। ସେ ଭାବିଥିଲେ ଯେ, ସେ ଯେତେବେଳେ ଚାହିଁବେ ଆଇନ ଶୃଙ୍ଖଳାକୁ ଭଙ୍ଗ କରିପାରିବେ। କିନ୍ତୁ ଆମେ ସ୍ପଷ୍ଟ କରିଦେଇଛୁ ଯେ, କୌଣସି ଅବରୋଧ କିମ୍ବା କର୍ଫ୍ୟୁ ରାଜ୍ୟରେ ଲାଗିବ ନାହିଁ। ଆମେ ଯେଉଁ ଶିକ୍ଷା ଦେଇଛୁ ତାହା ଭବିଷ୍ୟତ ପିଢ଼ିଙ୍କୁ ଦଙ୍ଗା କରିବା ପୂର୍ବରୁ ଦୁଇଥର ଚିନ୍ତା କରିବାକୁ ବାଧ୍ୟ କରିବ।"
ଏହି ସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଉତ୍ତରପ୍ରଦେଶର ପୂର୍ବ ସରକାରଙ୍କ ମଧ୍ୟ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, "ପୂର୍ବରୁ ଦଙ୍ଗାକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନିମନ୍ତ୍ରଣ କରାଯାଉଥିଲା ଏବଂ ସମ୍ମାନିତ କରାଯାଉଥିଲା। ଦଙ୍ଗାକାରୀମାନଙ୍କୁ ଆତିଥ୍ୟ ଦିଆଯାଉଥିଲା ଏବଂ କ୍ଷମତାରେ ଥିବା ଲୋକମାନେ ବୃତ୍ତିଗତ ଅପରାଧୀ ଏବଂ ମାଫିଆମାନଙ୍କୁ ସଲାମ କରୁଥିଲେ। କ୍ଷମତାରେ ଥିବା ଲୋକମାନେ ଅପରାଧୀଙ୍କ କୁକୁର ସହିତ ହାତ ମିଳାଉଥିଲେ। ଆପଣ ନିଶ୍ଚୟ ଅନେକ ଦୃଶ୍ୟ ଦେଖିଥିବେ ଯେଉଁଠି ଜଣେ ରାଷ୍ଟ୍ରମୁଖ୍ୟ ଏକ ମାଫିଆ କୁକୁର ସହିତ ହାତ ମିଳାଇ ଗର୍ବ ଅନୁଭବ କରୁଥିବେ।"
ଉଲ୍ଲେଖଯୋଗ୍ୟ, ବରେଲିର ଏକ ମସ୍ଜିଦରେ ଶୁକ୍ରବାର ପ୍ରାର୍ଥନା ଶେଷ ହେବାପରେ ଅନେକ ସଂଖ୍ୟାରେ ବ୍ୟକ୍ତି ‘ଆଇ ଲଭ୍ ମହମ୍ମଦ’ ଅଭିଯାନ ସମର୍ଥନରେ ମସଜିଦ ବାହାରେ ଏକଜୁଟ୍ ହୋଇଥିଲେ। ଜଣେ ସ୍ଥାନୀୟ ମୌଲାନା ଏବଂ ଇତେହାଦ-ଏ-ମିଲ୍ଲତ ପରିଷଦ ମୁଖ୍ୟ ତକିର ରାଜାଙ୍କ ଆହ୍ବାନରେ ଅନେକ ସଂଖ୍ୟାରେ ଆନ୍ଦୋଳନକାରୀ ବରେଲିର ଇସଲାମିଆ ଗ୍ରାଉଣ୍ଡ୍ରେ ଏକଜୁଟ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବ୍ୟାପକ ପୁଲିସ ମୁତୟନ ସତ୍ତ୍ବେ ହଜାର ହଜାର ଲୋକ ଏକଜୁଟ ହୋଇଥିଲେ ଏବଂ ସେମାନେ ସ୍ଲୋଗାନ୍ ଦେଇ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ପୁଲିସ ସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ଲାଠିମାଡ଼ କରିଥିଲା। ଏହି ମାମଲାରେ ପୁଲିସ ୧୨ ଜଣଙ୍କୁ ଗିରଫ କରିଛି। ବରିଷ୍ଠ ଅଧିକାରୀମାନେ ଉକ୍ତ ଘଟଣାକୁ ଭଲ ଭାବେ ଯାଞ୍ଚ କରୁଛନ୍ତି।
ସେପ୍ଟେମ୍ବର ୯ ତାରିଖରେ ଏହି ବିବାଦ ଆରମ୍ଭ ହୋଇଥିଲା। ସେପ୍ଟେମ୍ବର ୪ ତାରିଖରେ ବାରାୱଫାତ ଶୋଭାଯାତ୍ରା ସମୟରେ ଏକ ରାସ୍ତାରେ ‘ଆଇ ଲଭ ମହମ୍ମଦ’ ବୋର୍ଡ ରଖାଯିବାକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା। ଏହି ବୋର୍ଡ ରଖିବାକୁ ବିରୋଧ କରି ସେପ୍ଟେମ୍ବର ୯ ତାରିଖରେ ପୁଲିସ କାନପୁରରେ ୯ ଜଣଙ୍କ ବିରୋଧରେ ଏବଂ ୧୫ ଜଣ ଅଚିହ୍ନା ବ୍ୟକ୍ତିଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ରାସ୍ତାରେ ‘ଆଇ ଲଭ୍ ମହମ୍ମଦ’ ବୋର୍ଡ ରଖିବାକୁ ହିନ୍ଦୁ ଗୋଷ୍ଠୀ ବିରୋଧ କରିଥିଲେ। ଏଆଇଏମ୍ଆଇଏମ୍ ମୁଖ୍ୟ ଅସଉଦ୍ଦିନ ଅୱେସି ସୋସିଆଲ ମିଡିଆରେ ଏହି ପୋଷ୍ଟରକୁ ସମର୍ଥନ କରି କହିଥିଲେ ଯେ ‘ଆଇ ଲଭ୍ ମହମ୍ମଦ’ କହିବା ଏକ ଅପରାଧ ନୁହେଁ।
maulana-tauqeer-raza | cm-yogi