ନୂଆଦିଲ୍ଲୀ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସ୍ପାଉଜ୍ (ପତ୍ନୀ) ପରିଚୟପତ୍ରକୁ ଆଜି ଲୋକସଭା ସଚିବାଳୟ ବାତିଲ କରିଛି। ଏହାକୁ ତୁରନ୍ତ ଦାଖଲ କରିବା ପାଇଁ ବର୍ଷାଙ୍କୁ ପତ୍ର ଲେଖାଯାଇଛି। ଲୋକସଭା ସଚିବାଳୟ ସୁରକ୍ଷା ବିଭାଗର ଉପନିର୍ଦ୍ଦେଶିକା ଦୀପିକା ଭାଲ୍ଲାଙ୍କ ଦ୍ବାରା ଲେଖାଯାଇଥିବା ପତ୍ରରେ ଲୋକସଭା ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ଭାବେ ବର୍ଷାଙ୍କୁ ପ୍ରଦାନ କରାଯାଇଥିବା ସ୍ପାଉଜ୍ ପରିଚୟପତ୍ର (ନମ୍ବର-୩୦୦)କୁ ତୁରନ୍ତ ବାତିଲ କରାଗଲା ବୋଲି ଉଲ୍ଲେଖ କରାଯାଇଛି।
ଏହାକୁ ଯଥାଶୀଘ୍ର ଲୋକସଭା ସଚିବାଳୟର ସିପିଆଇସି କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ତାଙ୍କୁ କୁହାଯାଇଛି। ସାଂସଦ ଅନୁଭବ ମହାନ୍ତି ଲୋକସଭା ମହାସଚିବଙ୍କୁ ଲେଖିଥିବା ଏକ ପତ୍ର ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ଡିସେମ୍ବର ୨୦, ୨୦୨୧ରେ ଅନୁଭବ ଏହି ପତ୍ର ଲେଖିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ, ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଲୋକସଭା ସଚିବାଳୟ ପକ୍ଷରୁ ସ୍ପାଉଜ୍ ପରିଚୟପତ୍ର ପ୍ରଦାନ କରାଯାଇଛି। ଏବେ ଏହା ତାଙ୍କ ପାଖରେ ରହିଛି। ନିକଟରେ ବର୍ଷା ପାସପୋର୍ଟ (ଜେନେରାଲ୍/ଡିପ୍ଲୋମାଟିକ୍) ତଥା ପାନ ନମ୍ବର ଭଳି ଅନ୍ୟ ସରକାରୀ ଦସ୍ତାବିଜ୍ ହାସଲ କରିବା ପାଇଁ ଜାଲ ଏବଂ ଭୁଲ ସୂଚନା ଦେଇଥିବା ତାଙ୍କ ନଜରକୁ ଆସିଛି। ସାଂସଦଙ୍କ ପତ୍ନୀ ରୂପେ ଏଭଳି କାର୍ଯ୍ୟ ଶୋଭନୀୟ ନୁହେଁ। ଜଣେ ଦାୟିତ୍ବବାନ ତଥା ଆଇନ ପାଳନ କରୁଥିବା ଭାରତୀୟ ନାଗରିକ ଭାବେ ଏହି ପ୍ରସଙ୍ଗରେ ସେ ସମ୍ବନ୍ଧିତ ବିଭାଗକୁ ଅବଗତ କରାଇଛନ୍ତି। ଏହିସବୁ ମାମଲାର ତଦନ୍ତ ଚାଲିଛି। ତଦନ୍ତର ଫଳାଫଳ ଆସିବା ପରେ ସେ ଏ ସମ୍ବନ୍ଧରେ ମଧ୍ୟ ଅବଗତ କରାଇବେ।
ବର୍ଷାଙ୍କୁ ଦିଆଯାଇଥିବା ସ୍ବାଧିକାର, ଅଧିକାର ତଥା ସ୍ପାଉଜ୍ ପରିଚୟ ପତ୍ରକୁ ବାତିଲ କରାଯାଉ। ସଂସଦ ପରିସର ଓ ବିଦେଶ ଭ୍ରମଣ ପାଇଁ ବର୍ଷାଙ୍କ ସ୍ପାଉଜ୍ ପରିଚୟପତ୍ରକୁ ବାରଣ କରାଯାଉ। ସ୍ପାଉଜ୍ ପରିଚୟପତ୍ର ସହିତ ଅନ୍ୟାନ୍ୟ ସ୍ବାଧିକାର ଓ ଅଧିକାରଗୁଡ଼ିକର ଯେ ଭଳି ବର୍ଷାଙ୍କ ଦ୍ବାରା ଦୁରୁପଯୋଗ ହେବନାହିଁ , ସେ ନେଇ ଅନୁଭବ ତ୍ବରିତ ତଥା ଆବଶ୍ୟକ ପଦକ୍ଷେପ ନେବା ପାଇଁ ଲୋକସଭା ମହାସଚିବଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/8-21.jpg)