ଅହମ୍ମଦାବାଦରେ ‘ବୁରାଡ଼ି କାଣ୍ଡ’

ଗୁଣିଗାରେଡ଼ି ନେଲା ୩ ଜୀବନ ପତ୍ନୀ ଓ ଝିଅକୁ ମାରି ଆତ୍ମହତ୍ୟା

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦସ୍ଥିତ ନରୋଡ଼ାଠାରେ ‘ବୁରାଡ଼ି କାଣ୍ଡ’ର ପୁନରାବୃତ୍ତି ଘଟିଛି। ଗୁଣିଗାରେଡ଼ି ୩ ଜଣଙ୍କ ଜୀବନ ନେଇଛି। ଗୁଣିଗାରେଡ଼ିର ବଶବର୍ତ୍ତୀ ହୋଇ ସହରର ଜଣେ ବ୍ୟବସାୟୀ ୪୫ ବର୍ଷୀୟା ପତ୍ନୀ ଓ ୧୬ ବର୍ଷୀୟା ଝିଅକୁ ମାରିଛନ୍ତି। ଏମିତି କି ୭୫ ବର୍ଷୀୟା ବୃଦ୍ଧା ମା’ଙ୍କୁ ମଧ୍ୟ ବିଷ ଦେଇଛନ୍ତି। ଶେଷରେ ସେ ନିଜେ ସିଲିଂ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ବୃଦ୍ଧା ମା’ ଜଣକ ବଞ୍ଚିଯାଇଥିଲେ ବି ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି। ନିଜ ୩ ପୃଷ୍ଠା ସମ୍ବଳିତ ସୁଇସାଇଡ୍‌ ନୋଟ୍‌ରେ ୫୦ ବର୍ଷୀୟ କୁନାଲ୍‌ ତ୍ରିବେଦୀ ଏଭଳି ଚରମ ପଦକ୍ଷେପ ପାଇଁ ଗୁଣିଗାରେଡ଼ିକୁ ଦାୟୀ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ ସେ ପ୍ରଚୁର ମଦ ପିଉଥିଲେ। ଏହି ଘଟଣାକୁ ନେଇ ପରିବାରରେ ଝଗଡ଼ା ହେଉଥିଲା। କିନ୍ତୁ ଗୁଣି ଗାରେଡ଼ି ପ୍ରଭାବରୁ ସେ ମଦ ଛାଡ଼ି ପାରିନଥିଲେ ଏବଂ ଶେଷରେ ଏହି କାରଣ ପାଇଁ ସେ ନିଜ ସହିତ ପତ୍ନୀ କବିତା ତ୍ରିବେଦୀ ଓ ଝିଅ ଶିରିନ୍‌ ତ୍ରିବେଦୀଙ୍କ ଜୀବନ ନେଇଥିବା ସ୍ୱୀକାର କରିଛନ୍ତି। କୁନାଲ୍‌ଙ୍କ ସୁଇସାଇଡ୍‌ ନୋଟ୍‌ରୁ ଜାଣିବାକୁ ମିଳିଛି ଯେ ସେ ନିଜ ଇଚ୍ଛାରେ ମଦ ପିଉ ନଥିଲେ। ବରଂ ଗୁଣିଗାରେଡ଼ି ପ୍ରଭାବ ହେତୁ ସେ ମଦ ଛାଡ଼ିପାରୁନଥିଲେ। ନିଜକୁ ସେ ଦେବୀଙ୍କ ପାଖରେ ସମର୍ପଣ କରିବା ପରେ ବି କିଛି ଫାଇଦା ହେଲାନାହିଁ। ଶେଷରେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି ଦର୍ଶାଇଛନ୍ତି। ନରୋଡ଼ା ପୁଲିସ ନିରୀକ୍ଷକ ଏଚ୍‌ ବି ବାଘେଲା କହିଛନ୍ତି, ସୁଇସାଇଡ୍‌ ନୋଟ୍‌ରେ ଥିବା ହସ୍ତାକ୍ଷରକୁ ଫୋରେନ୍‌ସିକ୍‌ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ଏହା କୁନାଲ୍‌ଙ୍କର କି ନୁହେଁ, ତାହା ଜଣାପଡ଼ିବ। ସୁଇସାଇଡ୍‌ ନୋଟ୍‌ରେ ଆହୁରି ଉଲ୍ଲେଖ କରାଯାଇଛି ଯେ ତ୍ରିବେଦୀ ପରିବାର କୌଣସି ଆର୍ଥିକ ସଂକଟର ସମ୍ମୁଖୀନ ହେଉନଥିଲା। ବରଂ କୁନାଲ୍‌ ମଧ୍ୟ ପ୍ରଦେଶର କିଛି ଲୋକଙ୍କୁ ୧୪.୫ ଲକ୍ଷ ଟଙ୍କାର ଋଣ ଦେଇଥିଲେ। କୁନାଲ୍‌ ଗୁଣିଗାରେଡ଼ିର ଶିକାର ହୋଇଥିବା କଥା ନିଜ ପରିବାର ଲୋକଙ୍କୁ କହିଥିଲେ। କିନ୍ତୁ କେହି ବିଶ୍ୱାସ କରିନଥିଲେ। ଏହାପରେ ସେ ନିୟମିତ ଭାବେ ମଦ୍ୟପାନ କରିଥିଲେ। ଏ ନେଇ ତଦନ୍ତ ଜାରି ରହିଥିବା ବାଘେଲା କହିଛନ୍ତି।

ସୂଚନାନୁଯାୟୀ, କୁନାଲ୍‌ଙ୍କ ସମ୍ପର୍କୀୟମାନେ ବୁଧବାର ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ। କିନ୍ତୁ ସେ ଫୋନ୍‌କଲ୍‌ ରିସିଭ୍‌ କରିନଥିଲେ। ଫଳରେ ସମ୍ପର୍କୀୟଙ୍କ ମନରେ ସନ୍ଦେହ ଉପୁଜିଥିଲା। ଏହାପରେ ସେମାନେ ପୁଲିସରେ ଖବର ଦେବାପରେ ପୁଲିସ କୁନାଲ୍‌ ରହୁଥିବା ଫ୍ଲାଟ୍‌ରେ ପହଞ୍ଚି କବାଟ ଭାଙ୍ଗିଥିଲା। କୁନାଲ୍‌ଙ୍କ ସହ ତାଙ୍କ ପତ୍ନୀ ଓ ଝିଅଙ୍କୁ ମୃତାବସ୍ଥାରେ ଉଦ୍ଧାର କରିଥିଲା। କୁନାଲଙ୍କ ମା’ ଚଟାଣରେ ପଡ଼ି ଛଟପଟ ହେଉଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ପଠାଯାଇଥିଲା। ଉଲ୍ଲେଖଯୋଗ୍ୟ, ଜୁଲାଇରେ ଉତ୍ତର ଦିଲ୍ଲୀର ବୁରାଡ଼ିଠାରେ ଗୁଣିଗାରେଡ଼ି ଯୋଗୁ ଗୋଟିଏ ପରିବାରର ୧୧ ଜଣ ଆତ୍ମହତ୍ୟା କରିଥିଲେ। ସେତେବେଳେ ସମଗ୍ର ଦେଶରେ ଏହା ଆଲୋଡ଼ନ ସୃଷ୍ଟି କରିଥିଲା ବେଳେ ଏବେ ବି ଏହି ଘଟଣା ରହସ୍ୟ ଘେରରେ ରହିଛି।

ସମ୍ବନ୍ଧିତ ଖବର