ନୂଆଦିଲ୍ଲୀ: ବିଜେପି ଦ୍ବାରା ଟିକେଟ କଟାଯିବା ପରେ ପିଲଭିତର ସିଟିଂ ସାଂସଦ ବରୁଣ ଗାନ୍ଧୀ ବୁଧବାର ନିଜର ପ୍ରଥମ ପ୍ରତିକ୍ରିୟା ଦେବା ସହ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ମୁଁ ପିଲଭିତ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବି ନାହିଁ। ସେ କହିଛନ୍ତି ବିନା କୌଣସି ଭେଦଭାବରେ ଲୋକଙ୍କ ପାଇଁ ମୋ ଦ୍ବାରା ନିଜର ଲୋକସଭା ସଂସଦୀୟ କ୍ଷେତ୍ରରେ କରାଯାଇଥିବା କଲ୍ୟାଣମୂଳକ କାର୍ଯ୍ୟ ସତ୍ତ୍ବେ ମୋ ପ୍ରତି ଯାହା ବି ହୋଇଛି ତାହାର ଆଶା ମୁଁ କେବେ କରି ନ ଥିଲି।

Advertisment

ସୂଚନାଯୋଗ୍ୟ, ପିଲଭିତ ଲୋକସଭା ଆସନ ୧୯୮୯ଠାରୁ ମେନକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କ ଗଡ଼ ହୋଇ ରହିଛି। ୧୯୯୧ରେ ମେନକା ଏହି ଆସନରୁ ପରାଜିତ ହୋଇଥିଲେ। ତେବେ ୧୯୯୬ରେ ପୁଣି ମେନକା ଏହି ଆସନରୁ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୯୮, ୧୯୯୯ ଏବଂ ୨୦୦୪ରେ ମଧ୍ୟ ବିଜୟୀ ହୋଇଥିଲେ।

୨୦୦୯ରେ ଏହି ଆସନରୁ ବରୁଣ ଗାନ୍ଧୀ ପ୍ରାର୍ଥୀ ହୋଇ ବିଜେପିରୁ ବିଜୟୀ ହୋଇଥିଲେ। ମେନକା ୨୦୦୯ରେ ସୁଲତାନପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ଏହା ପରେ ୨୦୧୪ରେ ପୁଣି ପିଲଭିତ ଫେରିଥିଲେ। ଏହା ପରେ ପୁଣି ଥରେ ୨୦୧୯ରେ ସୁଲତାନପୁର ଲୋକସଭା ଆସନକୁ ଫେରି ଯାଇଥିଲେ।

୧୯୮୯ ପରେ ଚଳିତ ୨୦୨୪ ବର୍ଷ ପ୍ରଥମ ଲୋକସଭା ନିର୍ବାଚନ ହେବାକୁ ଯାଉଛି ‌ଯେତେବେଳେ କି ପିଲଭିତ ଲୋକସଭା ଆସନରେ ମେନକା ଗାନ୍ଧୀ ଅବା ବରୁଣ ଗାନ୍ଧୀ କେହି ନିର୍ବାଚନ ମଇଦାନରେ ନାହାନ୍ତି। ମେନକା ଗାନ୍ଧୀ ସୁଲତାନପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବାବ‌େଳେ ବରୁଣ ଗାନ୍ଧୀଙ୍କ ଟିକେଟ କଟି ଯାଇଛି।