ପ୍ରଧାନମନ୍ତ୍ରୀଙ୍କୁ ବରୁଣ ଗାନ୍ଧୀଙ୍କ ଖୋଲା ଚିଠି, କୃଷକଙ୍କ ପାଇଁ କ୍ଷତିପୂରଣ ଦାବି କଲେ

ଲଖିମପୁର ଖେରି ହିଂସା ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ : ବିଜେପି ସାଂସଦ ବରୁଣ ଗାନ୍ଧି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ଏକ ଖୋଲା ଚିଠି ଲେଖିଛନ୍ତି। ଏମ୍‌ଏସପି ସଂକ୍ରାନ୍ତରେ କୃଷକମାନେ କରିଥିବା ଦାବି ସରକାର ପୂରଣ କରନ୍ତୁ ଏବଂ ଲଖିମପୁର ଖେରି ହିଂସା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବରୁଣ ଗାନ୍ଧି କହିଛନ୍ତି। ଲଖିମପୁର ଖେରି ହିଂସା ଘଟଣାରେ ଜଡ଼ିତ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବରୁଣ ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀ ୩ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିବାରୁ ବରୁଣ ଗାନ୍ଧି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହି ନିଷ୍ପତ୍ତି ଯଦି ଆଗରୁ ନିଆଯାଇଥାନ୍ତା ତେବେ ୭୦୦ କୃଷକଙ୍କ ଜୀବନ ବଞ୍ଚିଯାଇଥାନ୍ତା ବୋଲି ବରୁଣ ଗାନ୍ଧି କହିଛନ୍ତି।

ଟ୍ବିଟରରେ ମୋଦୀଙ୍କ ପାଖକୁ ଲେଖିଥିବା ଚିଠି ସେୟାର କରି ବରୁଣ ଗାନ୍ଧି କହିଛନ୍ତି, ଉଚ୍ଚ ପଦବିରେ ବସିଥିବା ଅନେକ ନେତା ଆନ୍ଦୋଳନରତ କୃଷକଙ୍କ ବିରୋଧରେ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେଇଛନ୍ତି। ଏହାର ଫଳସ୍ବରୂପ ଅକ୍ଟୋବର ୩ ତାରିଖରେ ହିଂସା ଉପୁଜିଲା। ଲଖିମପୁର ଖେରି ହିଂସା ଘଟଣାରେ ୪ କୃଷକଙ୍କ ମୃତ୍ୟୁ ହେଲା। ଏହା ଆମ ଗଣତନ୍ତ୍ର ପାଇଁ ଏକ କଳଙ୍କ। ଏହି ମାମଲାରେ ଯେଉଁ ମନ୍ତ୍ରୀଙ୍କ ନାମ ଉଠିଛି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବରୁଣ ଗାନ୍ଧି ଅନୁରୋଧ କରିଛନ୍ତି। ବରୁଣ କୃଷକଙ୍କ ପାଇଁ ମୋଦୀଙ୍କ ପାଖରେ ଅନ୍ୟ କେତେକ ଦାବି ମଧ୍ୟ କରିଛନ୍ତି। ଆନ୍ଦୋଳନରତ କୃଷକଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଏତଲା ରଦ୍ଦ କରିବାପାଇଁ ମୋଦୀ ଅନୁରୋଧ କରିଛନ୍ତି। ୩ କୃଷି ଆଇନକୁ ବିରୋଧ କରି ଜାରି ରହିଥିବା ଆନ୍ଦୋଳନରେ ଯେଉଁମାନେ ପ୍ରାଣ ହାରିଥିଲେ ସେମାନଙ୍କ ପରିବାର ସଦସ୍ୟଙ୍କୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାପାଇଁ ବରୁଣ ଗାନ୍ଧି କହିଛନ୍ତି। ଏହିସବୁ ଦାବି ପୂରଣ ନହେଲେ କୃଷକମାନଙ୍କ ଆନ୍ଦୋଳନ ଶେଷ ହେବନାହିଁ ଏବଂ ଦେଶପ୍ୟାପୀ ଚାଲି ଅସନ୍ତୋଷ ଜାରି ରହିବ ବୋଲି ବରୁଣ ତାଙ୍କ ପତ୍ରରେ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର