ନୂଆଦିଲ୍ଲୀ: ତିନି କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ଆମରି ରକ୍ତ ମାଂସରେ ଗଢ଼ା। ସେମାନଙ୍କ ଯନ୍ତ୍ରଣା ବୁଝିବାକୁ ହେବ ଏବଂ ପୁନର୍ବାର ଆଲୋଚନା ପାଇଁ ରାସ୍ତା ଖୋଜିବାକୁ ପଡ଼ିବ ବୋଲି କୃଷକ ଆନ୍ଦୋଳନକୁ ସମର୍ଥନ କରି କହିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧି। ମୁଜାଫରନଗର ଚାଷୀ ମହାପଞ୍ଚାୟତର ଏକ ଭିଡିଓ ଟ୍ବିଟରରେ ‌ସେୟାର କରି ବରୁଣ ଲେଖିଛନ୍ତି, ମୁଜାଫରନଗରରେ ଆଜି ଅନୁଷ୍ଠିତ ବିକ୍ଷୋଭରେ ଲକ୍ଷାଧିକ କୃଷକ ଏକାଠି ହୋଇଥିଲେ। ସେମାନଙ୍କ ସହ ପୁଣି ସମ୍ମାନଜନକ ଭାବେ ଆଲୋଚନା କରିବା ଆବଶ୍ୟକ। ସମାଧାନ ପାଇଁ ଉଭୟ ପକ୍ଷ ଚେଷ୍ଟା କରନ୍ତୁ ବୋଲି ବରୁଣ ନିବେଦନ କରିଛନ୍ତି।

Advertisment

ବରୁଣଙ୍କ ଏହି ଟ୍ବିଟ୍‌କୁ ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍‌ ସ୍ବାମୀ ମଧ୍ୟ ରିଟ୍ବିଟ୍‌ କରିଛନ୍ତି। ବରୁଣଙ୍କ ଏହି ବୟାନ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟର ବିପରୀତ। କାରଣ କେନ୍ଦ୍ର ସରକାର ଏହି ତିନି କୃଷି ଆଇନକୁ କୃଷକଙ୍କ ହିତ ପାଇଁ ଉଦ୍ଦିଷ୍ଟ ବୋଲି କହି ଏହାକୁ ପ୍ରତ୍ୟାହାର କରିବାକୁ ମନା କରି ଦେଇଛନ୍ତି। ଅନ୍ୟପକ୍ଷରେ ସୁପ୍ରିମ କୋର୍ଟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କୃଷି ଆଇନ ଲାଗୁ କରାଯିବା ଉପରେ ରୋକ ଲଗାଇଛନ୍ତି। କେନ୍ଦ୍ର ସରକାର ମଧ୍ୟ ସଂଯୁକ୍ତ କୃଷକ ମୋର୍ଚ୍ଚା ସହ ଦ୍ବାଦଶ ବୈଠକରେ ସମସ୍ତ ଦ୍ବନ୍ଦ୍ବର ଅବସାନ ହେବା ପର୍ଯ୍ୟନ୍ତ ତିନି କୃଷି ଆଇନକୁ ୧୮ ମାସ ପାଇଁ ସ୍ଥିଗତ ରଖି ଆଲୋଚନା ଜାରି ରଖିବାକୁ ପ୍ରସ୍ତାବ ରଖି ସାରିଛନ୍ତି।