ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍)ର ଆବାହକ ଅରବିନ୍ଦ କେଜ୍ରିୱାଲ ରବିବାର ଘୋଷଣା କରିଛନ୍ତି ଯେ ବର୍ତ୍ତମାନ ଜେଲରେ ଥିବା ଗୁଜରାଟର ଡେଡିଆପଡ଼ା ବିଧାୟକ ଚୈତାର ବାସବ ଆଗାମୀ ଲୋକସଭା ନିର୍ବାଚନରେ ଭରୁଚ ଆସନ ପାଇଁ ଦଳର ପ୍ରାର୍ଥୀ ହେବେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ଙ୍କ ସହ ଆଦିବାସୀ ଅଧ୍ୟୁଷିତ ନେତରଙ୍ଗ ଅଞ୍ଚଳରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଆଦିବାସୀ ସମ୍ପ୍ରଦାୟର ଅଧିକାର ପାଇଁ ଲଢୁଥିବା ବାସବଙ୍କୁ ଗତ ମାସରେ ଗିରଫ କରାଯାଇଥିଲା। କେଜ୍ରିୱାଲ କହିଛନ୍ତି, ବିଜେପି ୩୦ ବର୍ଷ ଧରି ଗୁଜରାଟରେ ଶାସନ କରିଛି। କିନ୍ତୁ ଆଦିବାସୀ ସମ୍ପ୍ରଦାୟକୁ ସବୁବେଳେ ଅଣଦେଖା କରିଆସିଛି। ବିଜେପି ଆରମ୍ଭରୁ ଆଦିବାସୀ ସମ୍ପ୍ରଦାୟ ପ୍ରତି ଶତ୍ରୁତା ବଜାୟ ରଖିଛି।

Advertisment

ପ୍ରାୟ ଏକ ମାସ ଧରି ଫେରାର ରହିବା ପରେ ଡେଡିଆପଡ଼ା ବିଧାୟକ ତଥା ଆପ୍‌ର ରାଜ୍ୟ କାର୍ଯ୍ୟକାରୀ ସଭାପତି ଚୈତାର ବାସବ ୨୦୨୩ ଡିସେମ୍ବର ୧୪ ତାରିଖରେ ଆତ୍ମସମର୍ପଣ କରିଥିଲେ। ନର୍ମଦା ଜିଲ୍ଲାରେ ସ୍ଥାନୀୟ ଆଦିବାସୀଙ୍କ ଦ୍ୱାରା ଜଙ୍ଗଲ ଜମି ଚାଷକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିବାକୁ ଚେଷ୍ଟା କରୁଥିବା ବେଳେ ବନ ଅଧିକାରୀଙ୍କୁ ଧମକ ଚମକ ଦେବା ଏବଂ ଫାଙ୍କା ଗୁଳି ଚଳାଇବା ଅଭିଯୋଗ ତାଙ୍କ ବିରୋଧରେ ରହିଛି। ଏହି ମାମଲାରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
କେଜ୍ରିଓ୍ୱାଲ ଦାବି କରିଛନ୍ତି ଯେ ଆଦିବାସୀ ନେତା ବାସବ ବିଜେପିରେ ମିଶିଲେ ତାଙ୍କୁ କୋଟି କୋଟି ଟଙ୍କା ଏବଂ ସରକାରରେ ମନ୍ତ୍ରିପଦ ପାଇଁ ପ୍ରଲୋଭନ ଦିଆଯାଇଥିଲା, ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଦେଇଥିଲେ କାରଣ ସେ ନିଜ ସମ୍ପ୍ରଦାୟ ସହ ବିଶ୍ୱାସଘାତକତା କରିପାରିବେ ନାହିଁ। ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ଆପ୍‌ର ୫ ଜଣ ବିଧାୟକଙ୍କ ମଧ୍ୟରୁ ବାସବ ଅନ୍ୟତମ।