ରାଜସ୍ଥାନରେ କଂଗ୍ରେସ ପରେ ଏବେ ବିଜେପି ଭିତରେ ଫାଟ

ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସ ପରେ ଏବେ ବିଜେପି ଭିତରେ ଫାଟ ଦେଖିବାକୁ ମିଳିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ କେନ୍ଦ୍ର ବୈଠକକୁ ନିମନ୍ତ୍ରଣ ନମିଳିବା ପରେ ଅସନ୍ତୁଷ୍ଟ ହୋଇଛନ୍ତି ସିନ୍ଧିଆଙ୍କ ସମର୍ଥକ । ଏ ନେଇ ସେମାନେ ରାଜସ୍ଥାନରେ ବିଜେପିରୁ ଅଲଗା ହୋଇ ଏକ ରାଜନୈତିକ ମଞ୍ଚ ଗଢ଼ିଛନ୍ତି । ଏହାର ନାମ ଦିଆଯାଇଛି ‘ବସୁନ୍ଧରା ରାଜେ ସମର୍ଥକ ରାଜସ୍ଥାନ ମଞ୍ଚ’ । ଏହା ବ୍ୟତୀତ ‘ଟିମ୍ ବସୁନ୍ଧରା’ ନାମରେ ସୋସିଆଲ ମିଡିଆରେ ଏକ ସଂଗଠନ ଗଢ଼ାଯାଇଛି ।

ରାଜସ୍ଥାନରେ ବସୁନ୍ଧରାଙ୍କ ସମର୍ଥକମାନେ ପ୍ରତି ଜିଲ୍ଲାରେ ଜିଲ୍ଲାଧ୍ୟକ୍ଷ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ବ୍ୟତୀତ ଯୁବ ସଂଗଠନ ଓ ମହିଳା ସଂଗଠନ ପ୍ରସ୍ତୁତି କରିବା ନେଇ ସଂଗଠନ ଜୋରଦାର ପ୍ରୟାସ ଆରମ୍ଭ କରିଛି ।  ତେବେ ବିଜେପିରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ପାର୍ଟି ସଂଗଠନରୁ ଅଲଗା ହୋଇ କୌଣସି ନେତା ନିଜ ସମର୍ଥକଙ୍କୁ ଧରି ଅଲଗା ସଂଗଠନ ଆରମ୍ଭ କରିବା ନୂଆ କଥା।

ବସୁନ୍ଧରା ସମର୍ଥକ ମଞ୍ଚର ପ୍ରଦେଶ ଅଧ୍ୟକ୍ଷ ବିଜୟ ଭରଦ୍ୱାଜ କହିଛନ୍ତି କି ‘ମୁଁ ୨୦୦୩ରୁ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ସମର୍ଥନ କରି ଜନତା ଦଳ ଛାଡି ବିଜେପିରେ ଯୋଗ ଦେଇଥିଲି । ସେବେଠାରୁ ମୁଁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରହିଛି । ଏହାସହ ମୁଁ ବିଜେପିର ଆମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ ବି ଅଛି, ଏହା ବ୍ୟତୀତ ଏବେ ମୁଁ ବିଜେପିର ଆଇନ କୋଷାଧ୍ୟକ୍ଷ ପଦରେ ବି ରହିଛି । ହେଲେ ଏବେ ମୁଁ ବସୁନ୍ଧରାଙ୍କ ସଂଗଠନକୁ ମଜଭୁତ କରିବାକୁ ଚାହୁଁଛି।’ ସେ ଆହୁରି କହିଛନ୍ତି କି ବସୁନ୍ଧରା ରାଜସ୍ଥାନରେ ଜଣେ ଲୋକପ୍ରିୟ ନେତା । ସେ ମଜଭୁତ୍ ହେବା ଅର୍ଥ ବିଜେପି ବି ମଜଭୁତ୍ ହେଉଛି । ବସୁନ୍ଧରା ରାଜସ୍ଥାନକୁ ଏକ ପଛୁଆ ରାଜ୍ୟରୁ ଆଣି ବିକଶିତ ରାଜ୍ୟ ଭାବେ ପରିଗଣିତ କରିଛନ୍ତି । ତେଣୁ ଆମେ ଚାହୁଁଛୁ କି ବସୁନ୍ଧରାଙ୍କ ସମର୍ଥନରେ ପୂରା ରାଜସ୍ଥାନବାସୀଙ୍କ ସମର୍ଥନ ଗୋଟାଇବୁ ।

ଏ ନେଇ ରାଜସ୍ଥାନ ବିଜେପି ଅଧ୍ୟକ୍ଷ ସତୀଶ ପୁନିଆ କହିଛନ୍ତି କି ବସୁନ୍ଧରା ରାଜେଙ୍କ ସଂଗଠନ ବାବଦରେ ବିଜେପିର ସବୁନେତା ଜାଣିଛନ୍ତି । ମାତ୍ର ବସୁନ୍ଧରାଙ୍କୁ ଯେଉଁମାନେ ସମର୍ଥନ କହୁଛନ୍ତି ସେମାନେ ବିଜେପିର ସକ୍ରିୟ ସଦସ୍ୟ ନୁହଁନ୍ତି । ବିଜେପି ଗୋଟିଏ ସଂଗଠନ ଆଧାରିତ ପାର୍ଟି । ମାତ୍ର ବସୁନ୍ଧରା ରାଜେ ତାହାକୁ ବ୍ୟକ୍ତି ଆଧାରିତ ପାର୍ଟି ଭାବେ ପରିଗଣିତ କରିବାକୁ ଚାହୁଁଛନ୍ତି ।

ସମ୍ବନ୍ଧିତ ଖବର