ଜୟପୁର: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ବସୁନ୍ଧରା ରାଜେ ଶନିବାର ନିଜର ଅବସର ସମ୍ବନ୍ଧୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ନେଇ ସେ ସକ୍ରିୟ ରାଜନୀତିରୁ ଅବସର ନେଉ ନାହାନ୍ତି ବୋଲି କହିଛନ୍ତି। ଶୁକ୍ରବାର ଏକ ନିର୍ବାଚନୀ ରାଲିରେ ବସୁନ୍ଧରା କହିଥିଲେ, ମୁଁ ଭାବୁଛି ମୁଁ ଏଣିକି ଅବସର ନେଇପାରିବି। ଆଜି ମୁଁ ଯେତେବେଳେ ମୋର ପୁଅର ଭାଷଣ ଶୁଣିଲି, ମୋତେ ଖୁବ୍ ଖୁସି ଲାଗିଲା। ଆପଣମାନେ ତାକୁ ଉପଯୁକ୍ତ ଶିକ୍ଷା ଦେଇଛନ୍ତି, ଭଲ ପାଇବା ଦେଇଛନ୍ତି ଓ ତାକୁ ଠିକ୍ ବାଟରେ ନେଇପାରିଛନ୍ତି। ତେଣୁ ମୋର ଆଉ ତା’ ପଛରେ ରହିବାର କିଛି ଆବଶ୍ୟକତା ନାହିଁ। ବସୁନ୍ଧରା ତାଙ୍କ ପୁଅ ଦୁଷ୍ୟନ୍ତ ସିଂହଙ୍କ ବିଷୟରେ କହୁଥିଲେ, ଯିଏ ବର୍ତ୍ତମାନ ଝଲୱାରରୁ ଲୋକସଭା ସାଂସଦ ଅଛନ୍ତି।
ବସୁନ୍ଧରା ତାଙ୍କ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ପୁଅର ସଫଳତା ଦେଖି ସେ ଖୁସି ହୋଇ ଏପରି ମନ୍ତବ୍ୟ ଦେଇଥିଲେ। କିନ୍ତୁ ତା’ର ମାନେ ନୁହେଁ ଯେ, ସେ ରାଜନୀତି ଛାଡ଼ି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ‘ମୁଁ କୁଆଡ଼େ ଯାଉ ନାହିଁ, ମୁଁ ଆପଣମାନଙ୍କ ଭିତରେ ହିଁ ରହିବି। ଝଲୱାର ମୋ ପରିବାର। ମୋ ପରିବାରରେ ମୁଁ ଅନେକ କଥା କୁହେ, ଯାହାର ରାଜନୀତି ସହ କୌଣସି ସମ୍ବନ୍ଧ ନାହିଁ। ମୁଁ ଏଇମାତ୍ର ଝଲରାପତନରୁ ମୋ ନାମାଙ୍କନପତ୍ର ଦାଖଲ କରିଛି। ମୁଁ ରାଜନୀତିରୁ ଅବସର ନେବା କଥା ମନରୁ ଭୁଲିଯାଆନ୍ତୁ’ ବୋଲି ବସୁନ୍ଧରା କହିଛନ୍ତି। ସୂଚନାଯୋଗ୍ୟ, ଝଲରାପତନରୁ ବସୁନ୍ଧରା ୨୦୦୩ରୁ ନିର୍ବାଚିତ ହୋଇ ଆସୁଛନ୍ତି।