ନୂଆଦିଲ୍ଲୀ : ଲୋକସଭାରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିବାପରେ ଏବଂ ଏହାପରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ଦ୍ୱାରା ଗୃହ ମୁଲତବୀ ଘୋଷଣା ହେବାପରେ ନିକଟରେ ବିଜେଡିରୁ ନିଲମ୍ବିତ ହୋଇଥିବା ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ପାଖକୁ ଯାଇ ତାଙ୍କୁ ପ୍ରଥମେ ନମସ୍କାର କରିଥିଲେ ଏବଂ ପରେ ହାତ ମିଳାଇଥିଲେ। କିଛି ସେକେଣ୍ଡ୍ ସେ ମୋଦିଙ୍କ ସହ କଥାବାର୍ତ୍ତା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ବୈଜୟନ୍ତ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଯିବା ପୂର୍ବରୁ ଲୋକସଭାରେ ବିଜେଡି ସଂସଦିୟ ଦଳର ନେତା ଭର୍ତ୍ତୃହରି ମହତାବଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବାପରେ ବୈଜୟନ୍ତ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ମଧ୍ୟ କିଛି ସମୟ କଥାବାର୍ତ୍ତା ହୋଇଥିଲେ। ଏହାପରେ ସେ ପୁନର୍ବାର ଭର୍ତ୍ତୃହରିଙ୍କ ସହ ବିଚାରବିମର୍ଶ କରିଥିବା ଦେଖିବାକୁ ମିଳିଥିଲା। ହେଲେ ସେମାନଙ୍କ ସହ ସେ କେଉଁ ପ୍ରସଙ୍ଗରେ କଥା ହୋଇଥିଲେ ସେ ସମ୍ପର୍କରେ ସ୍ପଷ୍ଟ ଭାବେ କିଛି ଜଣାପଡ଼ିନି। ଅନ୍ୟପକ୍ଷରେ ଆଜି ବଜେଟ୍ ଉପସ୍ଥାପନ ସମୟରେ ବୈଜୟନ୍ତ ପଣ୍ଡା ଅନେକଥର ଟେବୁଲ୍ରେ ହାତ ଥାପି ସ୍ୱାଗତ କରିଥିଲେ। ବିଜେଡିର ଉପସ୍ଥିତ ଥିବା ୧୪ ଜଣ ସାଂସଦ ବଜେଟ୍ ଉପସ୍ଥାପନ ସମୟରେ କୌଣସି ପ୍ରକାର ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ତେବେ ବିଜେଡିର ୪ ଜଣ ସାଂସଦ ଅର୍ଜୁନ ଚରଣ ସେଠୀ, ରୀତା ତରାଇ, ପିନାକୀ ମିଶ୍ର ଏବଂ ଜେଲ୍ରେ ଥିବା ସାଂସଦ ରାମଚନ୍ଦ୍ର ହାଁସଦା ବଜେଟ୍ ଉପସ୍ଥାପନ ସମୟରେ ଅନୁପସ୍ଥିତ ଥିଲେ। ଦର୍ଶକ ଗ୍ୟାଲେରିରୁ ବିଜେଡିର ରାଜ୍ୟସଭା ନେତା ଦିଲୀପ ତିର୍କୀ ବଜେଟ୍ ଉପସ୍ଥାପନ ସମୟରେ ଉପସ୍ଥିତ ଥିଲେ। ବଜେଟ୍ ଉପସ୍ଥାପନ ହୋଇ ସାରିବା ପରେ ବିଜେଡିର ଅଧିକାଂଶ ସାଂସଦ ବଜେଟ୍ ନିର୍ବାଚନକୁ ଆଖିି ଆଗରେ ରଖି ପ୍ରସ୍ତୁତ କରାଯାଇଥିବା ଏବଂ ସେଭଳି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ଓଡ଼ିଶା ପରିପ୍ରେକ୍ଷୀରେ କରାଯାଇନଥିବା କହି ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ହେଲେ ବିଜେଡିରୁ ନିଲମ୍ବିତ ହୋଇଥିବା ସାଂସଦ ବୈଜୟନ୍ତ ପଣ୍ଡା ମାପିଚୁପି ପ୍ରତିକ୍ରିୟା ଦେଇ ବଜେଟ୍ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଓ ଏମ୍ଏସପି ଦେଢ଼ଗୁଣା ବୃଦ୍ଧିକୁ ସ୍ୱାଗତ କରିଥିଲେ। ହେଲେ ବଜେଟ୍ ଉପସ୍ଥାପନ ପରେ ବୈଜୟନ୍ତ ପଣ୍ଡା ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତକୁ ନେଇ ସଂସଦ ପରିସରରେ ଚର୍ଚ୍ଚା ଜୋର ଧରିଛି।
ପ୍ରଧାନମନ୍ତ୍ରୀଙ୍କୁ ନମସ୍କାର କରି ହାତ ମିଳାଇଲେ ବୈଜୟନ୍ତ
ବଜେଟ୍ ଉପସ୍ଥାପନ ସମୟରେ ବିଜେଡିର ୪ ସାଂସଦ ଅନୁପସ୍ଥିତ
/sambad/media/post_attachments/wp-content/uploads/2018/01/Baijayant-Panda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)