ୟୁପିଏସ୍‌ସି ସଦସ୍ୟ ଭାବେ ଶପଥ ନେଲେ ବିବି ସ୍ବାଇଁ

ନୂଆଦିଲ୍ଲୀ : କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି)ର ନୂତନ ସଦସ୍ୟ ଭାବେ ୧୯୮୮ ବ୍ୟାଚ୍ ଗୁଜରାଟ କ୍ୟାଡର୍‌ ଓଡ଼ିଆ ଆଇଏଏସ୍‌ ବିଦ୍ୟୁତ ବିହାରୀ ସ୍ବାଇଁ ଗୁରୁବାର ଦିନ ଶପଥ ନେଇଛନ୍ତି। ଆୟୋଗ ଅଧ୍ୟକ୍ଷ ମନୋଜ ସୋନି ଶ୍ରୀ ସ୍ବାଇଁଙ୍କୁ ଶପଥ ପାଠ କରାଇଥିଲେ। ଗତ ମାସ ୧୭ରେ ଶ୍ରୀ ସ୍ବାଇଁଙ୍କୁ ୟୁପିଏସ୍‌ସି ସଦସ୍ୟ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ପ୍ରଦାନ କରିଥିଲେ। ଶ୍ରୀ ସ୍ବାଇଁ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଖ୍ୟାତି ରହିଛି। ୧୯୮୯ରୁ ୨୦୧୮ ମଧ୍ୟରେ ସେ ଗୁଜରାଟ ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ପଦବିରେ କାର୍ଯ୍ୟ କରିଥିଲେ।

୨୦୧୮ରେ ଶ୍ରୀ ସ୍ବାଇଁ କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟରେ ଅତିରିକ୍ତ ସଚିବ ଭାବେ ଯୋଗ ଦେଇଥିଲେ। ୨୦୨୦ରେ ସେ ବାଣିଜ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ପଦୋନ୍ନତି ପାଇବା ସହ ଜାନୁଆରି ୨୦୨୧ରୁ ମେ ୨୦୨୩ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟର ସଚିବ ଭାବେ କାର୍ଯ୍ୟ କରିଛନ୍ତି। ଶ୍ରୀ ସ୍ବାଇଁ ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ପଥରପକା ଗ୍ରାମର ବିପିନ ବିହାରୀ ସ୍ବାଇଁଙ୍କ ପୁତ୍ର। ସେ ଜେଏନ୍‌ୟୁ, ଦିଲ୍ଲୀରୁ ରାଜନୀତି ବିଜ୍ଞାନରେ ଏମ୍‌ଏ ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ଷ୍ଟଡିଜ୍‌, ହେଗ୍ ନେଦରଲାଣ୍ଡରୁ ପବ୍ଲିକ ପଲିସି ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ୍‌ରେ ଏମ୍‌ଏ କରିଛନ୍ତି।

ସମ୍ବନ୍ଧିତ ଖବର