ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରସ୍ତୁତ ବିବିସି ଡକୁମେଣ୍ଟାରିକୁ ନେଇ ବିବାଦ ଘନଉଛି। ବିବାଦୀୟ ଡକୁମେଣ୍ଟାରିର ପ୍ରସାରଣ ଉପରେ ସରକାର ରୋକ୍‌ ଲଗାଇଥିଲେ ସୁଦ୍ଧା ଏବେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଏହି ଡକୁମେଣ୍ଟାରି ପ୍ରଦର୍ଶନ ପାଇଁ ଯୋଜନା ହେଉଛି। ଗତକାଲି ଜେଏନ୍‌ୟୁରେ ଡକୁମେଣ୍ଟାରି ପ୍ରଦର୍ଶନକୁ ଅଟକାଇବାକୁ ଯାଇ ଗଣ୍ଡଗୋଳ ହୋଇଥିବାବେଳେ ଆଜି ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ସିପିଏମ୍‌ ଛାତ୍ରଶାଖା ଏସ୍‌ଏଫ୍‌ଆଇ ( ଷ୍ଟୁଡେଣ୍ଟସ ଫେଡେ‌ରେସନ ଅଫ୍‌ ଇଣ୍ଡିଆ) ଆଜି ସନ୍ଧ୍ୟା ୬ଟା‌ରେ ଫେସବୁକ୍‌ରେ ବିବିସି ଡକୁମେଣ୍ଟାରି ପ୍ରଦର୍ଶନ ପାଇଁ ଘୋଷଣା କରିଥିଲା।

Advertisment

ଏସଏଫ୍‌ଆଇ ଘୋଷଣା ପରେ ବିଶ୍ବବିଦ୍ୟାଳୟ ପରିସରରେ ସୁରକ୍ଷା କଡ଼ାକଡ଼ି ହୋଇଥିଲା ଏବଂ ବହୁସଂଖ୍ୟାରେ ପୁଲିସ ମୁତୟନ ହୋଇଥିଲେ। ବିବିସି ଡକୁମେଣ୍ଟାରି ସ୍କ୍ରିନିଂ ଯୋଜନା ପଣ୍ଡ କରିବାପାଇଁ ପୁଲିସ ପ୍ରଥମେ ଏସଏଫ୍‌ଆଇ ସଦସ୍ୟ ସମେତ ୪ ଜଣ ଛାତ୍ରଙ୍କୁ ଅଟକ ରଖିଥିଲା । ବିଶ୍ବବିଦ୍ୟାଳୟ ପରିସରରେ ହଙ୍ଗାମା କରିବା ନେଇ ପୁଲିସ ସେମାନଙ୍କୁ ଅଟକ ରଖିଥିବା କହିଛି। ତେବେ ପୁଲିସ ୪ ଜଣ ଛାତ୍ରଙ୍କୁ ଅଟକ ରଖିବା ଘଟଣାକୁ ବିରୋଧ କରି ଆଜି ଅନେକ ସଂଖ୍ୟାରେ ଛାତ୍ର ଆନ୍ଦୋଳନ କରିବାରୁ ଦିଲ୍ଲୀ ପୁଲିସ ୭୦ରୁ ଅଧିକ ଛାତ୍ରଙ୍କୁ ଅଟକ ରଖିଛି। ଶେଷରେ ଡକୁମେଣ୍ଟାରି ପ୍ରଦର୍ଶନ ବନ୍ଦ ରହିଛି। ବିବିସି ସିରିଜ୍‌ ସ୍କ୍ରିନିଂ ପୂର୍ବରୁ ଆଜି ବିଶ୍ବବିଦ୍ୟାଳୟ ‌ଗେଟ୍‌ ବନ୍ଦ ରଖିଥିଲା।

ଜାମିଆ ମିଲିଆ ବିଶ୍ବବିଦ୍ୟାଳୟ ନଜମା ଅଖତାର ବିଶ୍ବବିଦ୍ୟାଳୟରେ ଶାନ୍ତି ନଷ୍ଟ ପାଇଁ ଏସଏଫ୍‌ଆଇକୁ ଦାୟୀ କରିଛନ୍ତି। ଏସଏଫ୍‌ଆଇ ବିଶ୍ବବିଦ୍ୟାଳୟ ପରିସରରେ ଶାନ୍ତି ନଷ୍ଟ କରିବାକୁ ଚାହୁଛି। ଏଭଳି ଆଚରଣକୁ କେବେ ବି ପ୍ରଶ୍ରୟ ଦେବୁନାହିଁ ବୋଲି ଅଖତାର କହିଛନ୍ତି। ଆବଶ୍ୟକ ପଡ଼ିଲେ ଜାମିଆ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କୁଳପତି ସ୍ପଷ୍ଟ କରିଛନ୍ତି। ଇତି ମଧ୍ୟରେ ଜାମିଆ ମିଲିଆ ବିଶ୍ବବିଦ୍ୟାଳୟ ପରିସରରେ ଥିବ‌‌ା ଛାତ୍ରମାନେ କହିଛନ୍ତି, ଡକୁମେଣ୍ଟାରି ସହ ‌ସେମାନଙ୍କର କୌଣସି ସମ୍ପୃକ୍ତି ନାହିଁ। ବିଶ୍ବବିଦ୍ୟାଳୟ ଗେଟ୍‌ ବନ୍ଦ ହେବାନେଇ ନୋଟିସ ଜାରି ହୋଇନଥିବାରୁ ସେମାନେ ପ୍ରୋକ୍ଟରଙ୍କ ବିରୋଧରେ ସ୍ଲୋଗାନ ଦେଇଥିବା କହିଛନ୍ତି। ଅନ୍ୟପକ୍ଷେ ଆଜି ପଂଜାବ ବିଶ୍ବବିଦ୍ୟାଳୟରେ ମଧ୍ୟ ବିବିସି ଡକୁମେଣ୍ଟାରି ପ୍ରସାରଣ ପାଇଁ ଯୋଜନା ହୋଇଥିବାବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ବନ୍ଦ କରି ଦେଇଛନ୍ତି।