ଭୁବନେଶ୍ବର: କନିଷ୍ଠ ବାଳକ ଜାତୀୟ ଫୁଟ୍ବଲ୍ ପ୍ରତିଯୋଗିତା ‘ବିସି ରାୟ ଟ୍ରଫି’ ମଙ୍ଗଳବାରଠୁ ଭୁବନେଶ୍ବରର ବିଭିନ୍ନ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାରେ ଆୟୋଜକ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। କ୍ୟାପିଟାଲ ଫୁଟ୍ବଲ୍ ଏରିନାରେ ଖେଳାଯାଇଥିବା ମ୍ୟାଚ୍ରେ ଏହି ଦଳ ୪-୦ ଗୋଲ୍ରେ ହରିୟାଣାକୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ଶଙ୍ଖ ଶେଖର ହେମ୍ବ୍ରମ (୩, ୪୯, ୮୫ ମିନିଟ୍) ହ୍ୟାଟ୍ରିକ୍ ଅର୍ଜନ କରିଥିଲା ବେଳେ ଆକାଶ ସାହୁ (୧୪ ମିନିଟ୍) ଗୋଟିଏ ଗୋଲ୍ ଦେଇଥିଲେ।
ମଙ୍ଗଳବାର ଖେଳାଯାଇଥିବା ଅନ୍ୟ ମ୍ୟାଚ୍ଗୁଡ଼ିକରେ ଝାରଖଣ୍ଡ ୫-୨ ଗୋଲ୍ରେ ମିଜୋରାମକୁ, ଉତ୍ତରପ୍ରଦେଶ ୫-୧ ଗୋଲ୍ରେ ଛତିଶଗଡ଼କୁ ଏବଂ ମହାରାଷ୍ଟ୍ର ୩-୧ ଗୋଲ୍ରେ କର୍ଣ୍ଣାଟକକୁ ହରାଇଥିଲା। ଅପରାହ୍ଣରେ କ୍ୟାପିଟାଲ ଫୁଟ୍ବଲ୍ ଏରିନାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଅତିଥିଭାବେ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ଯୁଗ୍ମ ସଚିବ ବିଜୟାନନ୍ଦ ନାୟକ, ଏଆଇଏଫ୍ଏଫ୍ କାର୍ଯ୍ୟକାରୀ କମିଟି ସଦସ୍ୟ ତଥା ଫାଓ ଯୁଗ୍ମ ସଚିବ ଅଭିଜିତ ପାଲ, ଉପସଭାପତି ଦିଲୀପ କୁମାର ସାହୁ, ଯୁଗ୍ମ ସମ୍ପାଦକ ବିଶ୍ବ ରଂଜନ ଘଡ଼େଇ, ସଦସ୍ୟ ବିଜୟ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ।