ଭାରତର ଐତିହାସିକ ବିଜୟ ପରେ ଦଳକୁ ୫କୋଟି ଟଙ୍କାର ବୋନସ୍ ଦେବାକୁ ଘୋଷଣା କଲା ବିସିସିଆଇ

ନୂଆଦିଲ୍ଲୀ: ବ୍ରିସବେନରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ବିସିସିଆଇ ବଡ଼ ଘୋଷଣା କରିଛି । ଦଳ ପାଇଁ ବିସିସିଆଇ ୫ କୋଟି ଟଙ୍କାର ବୋନସ୍ ଘୋଷଣା କରିଛି । ବିସିସିଆଇ ସମ୍ପାଦକ ଜୟ ଶାହ ଏ ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ।

ମଙ୍ଗଳବାର ବ୍ରିସବେନ୍ ଟେଷ୍ଟରେ ଦଳ ବିଜୟୀ ହେବା ସହିତ ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ରେ ସିରିଜ୍ କବଜା କରିଛି । ଦୀର୍ଘ ୩୨ ବର୍ଷ ପରେ ଅଷ୍ଟ୍ରେଲିଆ ବ୍ରିସବେନରେ ପରାଜିତ ହୋଇଛି । ରିଷଭ ପନ୍ତଙ୍କ ଧୂଆଁଧାର ଇଂନିସ ବଳରେ ଭାରତ ଏହି ସଫଳତା ହାସଲ କରିପାରିଛି ।

ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ୱ ତୁଲାଉଥିବା ଆଜିଙ୍କ୍ୟ ରାହାଣେ ଦଳକୁ ଏହି ବିଜୟ ଭେଟିଦେଇଛନ୍ତି । ଅନ୍ୟପଟେ ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବିଭିନ୍ନ କ୍ରିକେଟରମାନେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ମୁତାବକ, ପଞ୍ଚମ ଦିନର ଆରମ୍ଭରୁ ରୋହିତଙ୍କ ୱିକେଟ ଭାରତ ଶିବିରକୁ ଚିନ୍ତାରେ ପକାଇଥିଲା । ତେବେ ଶୁଭମନ୍ ଗିଲ୍ ଓ ଚେତେଶ୍ବର ପୂଜାରା ସର୍ତକତାର ସହ ବ୍ୟାଟିଂ କରି ଭାରତର ସ୍କୋରକୁ ଆଗକୁ ବଢାଇଥିଲେ । ତେବେ ଲିୟନଙ୍କ ବଲରେ ଆଉଟ ହୋଇ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ଶୁଭମନ୍ । ଆଉ ଏହାପରେ ଅଧିନାୟକ ରାହାଣେ ଦ୍ରୁତ ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ । ତେବେ ପୂଜାରା ଓ ପନ୍ତ ଧୈର୍ଯ୍ୟର ସହ ଦୀର୍ଘ ସମୟ ଧରି କ୍ରିଜରେ ରହି ବ୍ୟାଟିଂ କରିବା ଅଷ୍ଟ୍ରେଲିଆ ବୋଲରଙ୍କୁ ନିରାଶ କରିଥିଲା । ପୂଜାରାଙ୍କ ୱିକେଟ ପତନ ପରେ ମୟଙ୍କ ପୁଣିଥରେ ଟିମ୍ ଇଣ୍ଡିଆକୁ ନିରାଶ କରିଥିଲେ । ତେବେ ଗୋଟିଏ ପଟେ ପନ୍ତ ଦୃଢତାର ସହ ବ୍ୟାଟିଂ କରି ଭାରତକୁ ବିଜୟ ଆଡକୁ ନେଉଥିବା ବେଳେ ୱାସିଂଟନ ସୁନ୍ଦରଙ୍କ ଉପଯୋଗୀ ଇନିଂସ ଏହି ବିଜୟକୁ ଆହୁରି ସହଜ କରିଦେଇଥିଲା । ଶେଷରେ ୩ ୱିକେଟରେ ବହୁ ପ୍ରତୀକ୍ଷିତ ବିଜୟ ହାସଲ କରିବା ସହ ଅଷ୍ଟ୍ରେଲିଆର ୩୨ ବର୍ଷର ରେକର୍ଡ ଭାଙ୍ଗିଛି ଟିମ୍ ଇଣ୍ଡିଆ ।

ସମ୍ବନ୍ଧିତ ଖବର