ମହିଳା ଆଇପିଏଲ୍‌ ଦଳ ବିକ୍ରିରୁ ୪୬୭୦ କୋଟି ପାଇଲା ବିସିସିଆଇ

୫ ଦଳକୁ କିଣିଲେ ଅଦା‌ନି, ଦିଲ୍ଲୀ, ଆର୍‌ସିବି, ମୁମ୍ବାଇ ଇଣ୍ଡିଆନ୍ସ ଓ କାପ୍ରି ଗ୍ଲୋବାଲ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ମହିଳା ଆଇପିଏଲ୍‌ ପାଇଁ ଅଣ୍ଟା ଭିଡ଼ିଥିଲା ବେଳେ ବୁଧବାର ୫ ଦଳକୁ ବିକ୍ରି ବାବଦରେ ମୋଟ ୪୬୭୦ କୋଟି ଟଙ୍କା ଆୟ କରି ଐତିହାସିକ ସଫଳତା ହାସଲ କରିଛି। ଏହି ୫ ଦଳକୁ ଅଦାନି, ଦିଲ୍ଲୀ, ଆର୍‌ସିବି, ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ କାପ୍ରି ଗ୍ଲୋବାଲ କିଣିଛନ୍ତି। ସେମାନଙ୍କ ମଧ୍ୟରୁ ଅଦାନି ଗ୍ରୁପ୍‌ ସର୍ବାଧିକ ୧୨୮୯ କୋଟି ଟଙ୍କାରେ ଅହମଦାବାଦ ଫ୍ରାଞ୍ଜାଇଜ୍‌ର ମାଲିକ ବନି ଯାଇଥିଲା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ୯୧୨ କୋଟିରେ ମୁମ୍ବାଇ ଫ୍ରାଞ୍ଜାଇଜ୍‌କୁ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୯୦୧ କୋଟିରେ ବେଙ୍ଗାଲୁରୁ ଦଳକୁ କିଣିଛି। ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ମାଲିକ ୮୧୦ କୋଟିରେ ଦିଲ୍ଲୀ ଦଳକୁ ଏବଂ କାପ୍ରି ଗ୍ଲୋବାଲ ହୋଲ୍‌ଡିଙ୍ଗ୍‌ସ ପ୍ରାଇଭେଟ ଲିମିଟେଡ୍‌ ୭୫୭ କୋଟି ଟଙ୍କାରେ ଲକ୍ଷ୍ନୌ ଫ୍ରାଞ୍ଚାଇଜ୍‌କୁ କିଣିନେଇଛି। ଏହି ୫ ଦଳୀୟ ମହିଳା ଆ‌ଇପିଏଲ୍‌ ମୁମ୍ବାଇର ଦୁଇଟି ଭେନ୍ୟୁରେ ଆସନ୍ତା ମାର୍ଚ୍ଚରେ ଆୟୋଜିତ ହେବ। ଏହା ପୂର୍ବରୁ ଚଳିତ ମାସ ପ୍ରାରମ୍ଭରେ ବିସିସିଆଇ ମଧ୍ୟ ଭାଏକମ୍‌୧୮କୁ ମିଡିଆ ରାଇଟ୍‌ସ ୯୫୧ କୋଟି ଟଙ୍କାରେ ବିକିଥିଲା। ଯାହାକି ୫ ବର୍ଷ ପାଇଁ ମ୍ୟାଚ୍‌ ପ୍ରତି ମୂଲ୍ୟ ୭.୦୯ କୋଟି ଆୟ କରିବ।

‘‘ଆଜି କ୍ରିକେଟ୍‌ ପାଇଁ ଏକ ଐତିହାସିକ ଦିନ। ଯେଉଁଦିନ ମହିଳା ଆଇପିଏଲ୍‌ ପ୍ରଥମ ସଂସ୍କରଣ ପାଇଁ ଦଳ ବିକ୍ରିରୁ ଉପଲବ୍‌ଧ ଅର୍ଥ ୨୦୦୮ରେ ପୁରୁଷ ଆଇପିଏଲ୍‌ ପ୍ରଥମ ସଂସ୍କରଣ (୭୨୩.୫୯ ମିଲିୟନ୍‌)ର ରେକର୍ଡକୁ ପଛରେ ପକାଇ ଦେଇଛି।’’ ବୋଲି ଟ୍ବିଟ୍‌ କରିଛନ୍ତି ବିସିସିଆଇ ସଂପାଦକ ଜୟ ଶାହା। ଅନ୍ୟପକ୍ଷରେ ଲିଗ୍‌କୁ ଅନେକେ ମହିଳା ଆଇପିଏଲ୍‌ କହୁଥିଲା ବେଳେ ପ୍ରକୃତରେ ଏହାର ନାମ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ୍‌) ବୋଲି ସ୍ପଷ୍ଟ କରିଛନ୍ତି ଜୟ ଶାହା। ବିସିସିଆଇ ଏହି ନାମକରଣ କରିଥିଲା ବେଳେ ଆସନ୍ତୁ ଯାତ୍ରା ଆରମ୍ଭ କରିବା ବୋଲି ବିସିସିଆଇ ସଂପାଦକ ଆହ୍ବାନ ଜଣାଇଛନ୍ତି। ପୁଣି ଡବ୍ଲୁପିଏଲ୍‌ ଖେଳାଳିଙ୍କ ନିଲାମ ଆସନ୍ତାମାସରେ କରାଯିବ ବୋଲି ଶାହା ସୂଚନା ଦେଇଛନ୍ତି। ପ୍ରତ୍ୟେକ ଦଳ ପାଇଁ ଖେଳାଳି କିଣିବାକୁ ମୋଟ ୧୨ କୋଟି ଲେଖାଏଁ ଧାର୍ଯ୍ୟ ରାଶି ରହିବ। ପ୍ରତି ଦଳ ଅତିକମ୍‌ରେ ୧୫ ଏବଂ ସର୍ବାଧିକ ୧୮ ଖେଳାଳି କିଣିପାରିବେ।

ପ୍ରଥମ ସଂସ୍କରଣରେ ୫ ଦଳକୁ ନେଇ ମୋଟ ୨୨ ମ୍ୟାଚ୍‌ ଖେଳାଯିବ। ଲିଗ୍‌ ପର୍ଯ୍ୟାୟର ଶ୍ରେଷ୍ଠ ଦଳ ସିଧାସଳଖ ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିବ। ତେଣୁ ଦ୍ବିତୀୟ ଓ ତୃତୀୟ ଶ୍ରେଷ୍ଠ ଦଳ ଦ୍ବିତୀୟ ଫାଇନାଲିଷ୍ଟ ପାଇଁ ଲଢ଼େଇ କରିବେ।

ସମ୍ବନ୍ଧିତ ଖବର