ନୂଆଦିଲ୍ଲୀ: ଗତ ଡିସେମ୍ବର ୩୦ ତାରିଖ ପ୍ରତ୍ୟୁଷରେ ଦିଲ୍ଲୀ-ଡେରାଡୁନ୍ ରାଜପଥରେ ନିଜେ କାର୍ ଚଳାଇ ରୁଡ୍କୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ କ୍ରିକେଟର ଋଷଭ ପନ୍ତ । ଗୁରୁତର ଅବସ୍ଥାରେ ସେ କାରର ସାମ୍ନା କାଚ ଭାଙ୍ଗି ବାହାରକୁ ବାହାରି ଅସିଥିବା ବେଳେ ଦୁର୍ଘଟଣାସ୍ଥଳରେ ତାଙ୍କ କାର ଜଳି ଯାଇଥିଲା। ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ପୁଲିସରେ ଖବର ଦେବା ସହିତ ପନ୍ତଙ୍କୁ ଡେରାଡୁନ୍ସ୍ଥିତ ‘ମ୍ୟାକ୍ସ୍ ହସ୍ପିଟାଲ୍’ରେ ଭର୍ତ୍ତି କରିଥିଲେ। ଏଠାରେ ତାଙ୍କର ଚିକିତ୍ସା ଚାଲିଥିଲା।
ଏହି କ୍ରମରେ ଋଷଭଙ୍କ ଉନ୍ନତ ଚିକିତ୍ସା ନିମନ୍ତେ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଡେରାଡୁନ୍ରୁ ମୁମ୍ବାଇକୁ ସ୍ଥାନାନ୍ତରଣ କରାଯିବ। ପନ୍ତଙ୍କୁ ସ୍ଥାନାନ୍ତରଣ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି। ଷ୍ଟାର ଖେଳାଳିଙ୍କୁ ମୁମ୍ବାଇର ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସମ୍ପ୍ରତି ଚିକିତ୍ସା ପାଇଁ ଭର୍ତ୍ତି କରାଯିବ ବୋଲି ‘ଦିଲ୍ଲୀ ଆଣ୍ଡ୍ ଡିଷ୍ଟ୍ରିକ୍ଟ୍ କ୍ରିକେଟ୍ ଆସୋସିଏସନ୍’ର (ଡିଡିସିଏ) ନିର୍ଦେଶକ ଶ୍ୟାମ ଶର୍ମା ସୂଚନା ଦେଇଛନ୍ତି।
ଭୟାବହ ଦୁର୍ଘଟଣାର ଶିକାର ହେବା ପରେ ପନ୍ତଙ୍କ ଛିଡ଼ି ଯାଇଥିବା ସ୍ନାୟୁତନ୍ତ୍ରୀର ଉନ୍ନତ ଚିକିତ୍ସା ନିମନ୍ତେ ମୁମ୍ବାଇ ସ୍ଥାନାନ୍ତର କରାଯାଉଛି ବୋଲି ଶର୍ମା କହିଛନ୍ତି। ଏଥିସହିତ ‘ବିସିସିଆଇ’ କହିଥିଲା ଯେ, ପନ୍ତଙ୍କ କପାଳରେ ୨ଟି କ୍ଷତ ହୋଇଛି। ତାଙ୍କ ଡାହାଣ ଆଣ୍ଠୁରେ ସ୍ନାୟୁତନ୍ତ୍ରୀ କ୍ଷତାକ୍ତ ହୋଇଛି। ଏହାଛଡ଼ା, ତାଙ୍କର ଡାହଣ ହାତ ମଣିବନ୍ଧ, ଗୋଡ଼ ବଳାଗଣ୍ଠି ଓ ବୁଢ଼ା ଆଙ୍ଗୁଠିରେ ମଧ୍ୟ ଆଘାତ ଲାଗିଛି। ତାଙ୍କ ପିଠି ମଧ୍ୟ ରାମ୍ପି ହୋଇ କ୍ଷତାକ୍ତ ହୋଇଛି।
ଏହି କ୍ରମରେ ଆଉ ଏକ ଖବର ଆସୁଛି କି ଯଦି ବିସିସିଆଇର ମେଡିକାଲ ଟିମ ଓ ଡାକ୍ତରମାନେ ପରାମର୍ଶ ଦିଅନ୍ତି ତେବେ ଜରୁରୀ ପଡ଼ିଲେ ଋଷଭଙ୍କ ଅସ୍ତ୍ରୋପଚାର ଇଂଲଣ୍ଡ ନଚେତ ଆମେରିକାରେ ହୋଇପାରେ।