ନୋଏଡ଼ା: ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାସ୍ଥିତ ଶାରଦା ବିଶ୍ୱବିଦ୍ୟାଳୟରେ ଜଣେ ବିଡିଏସ୍ ଦ୍ୱିତୀୟ ବର୍ଷର ଛାତ୍ରୀ ଅଧ୍ୟାପକଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଦେଇଛନ୍ତି। ବିଶ୍ବବିଦ୍ୟାଳୟର ୨ ଜଣ ଅଧ୍ୟାପକଙ୍କ ଦ୍ବାରା ବାରମ୍ବାର ଅପମାନିତ ହେବା ଏବଂ ମାନସିକ ଯନ୍ତ୍ରଣା ସହିନପାରି ଛାତ୍ରୀ ଜଣଙ୍କ ନିଜ ହଷ୍ଟେଲ୍ ରୁମ୍ରେ ଶୁକ୍ରବାର ଆତ୍ମହତ୍ୟା କରିଦେଇଛନ୍ତି। ଆତ୍ମହତ୍ୟା ପୂର୍ବରୁ ଏହି ଛାତ୍ରୀ ଏକ ଚିଠି ଲେଖିଯାଇଛନ୍ତି, ଯେଉଁଥିରେ ସେ ତାଙ୍କ ସହ ଘଟିଥିବା ଅନ୍ୟାୟ ସଂକ୍ରାନ୍ତରେ ବର୍ଣ୍ଣନା କରିଛନ୍ତି ଏବଂ ୨ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି। ବିଶ୍ବବିଦ୍ୟାଳୟର ଡିନ୍, ପ୍ରଫେସରଙ୍କ ସମେତ ୭ ଜଣଙ୍କ ବିରୋଧରେ ଛାତ୍ରୀଙ୍କ ସଂପର୍କୀୟ ଏଫ୍ଆଇଆର୍ ରୁଜୁ କରିଛନ୍ତି। ସେଥିରେ ସେମାନେ ଯୌନ ଉତ୍ପୀଡ଼ନ, ଦୁର୍ବ୍ୟବ୍ୟବହାର ଏବଂ ଧମକ ଆଦି ଅଭିଯୋଗ ଆଣିଛନ୍ତି।
ଗୌତମବୁଦ୍ଧନଗରର ନଲେଜ୍ ପାର୍କ ଥାନାରେ ଏନେଇ ଏକ ଏତଲା ରୁଜୁ ହୋଇଛି। ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବାବେଳେ ଉକ୍ତ ଘଟଣାକୁ ବିରୋଧ କରି ବିଶ୍ବବିଦ୍ୟାଳୟ ପରିସରରେ ଆଜି ତୀବ୍ର ଆନ୍ଦୋଳନ ଦେଖିବାକୁ ମିଳିଛି। ବିଶ୍ବବିଦ୍ୟାଳୟର ୨ ଅଧ୍ୟାପକ ମହିନ୍ଦ୍ର ଏବଂ ସେରି ଏହି ଘଟଣାରେ ଗିରଫ ହୋଇଛନ୍ତି। ଡିସିପି ସୁଧୀର କୁମାର କହିଛନ୍ତି, ପୀଡ଼ିତା ଛାତ୍ରୀଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ବିଶ୍ବବିଦ୍ୟାଳୟ ମ୍ୟାନେଜମେଣ୍ଟ୍ର ୨ ଜଣଙ୍କୁ ଗିରଫ କରାଯାଇଛି। ମହିଳାଙ୍କ ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଅନ୍ୟପକ୍ଷେ ବିଶ୍ବବିଦ୍ୟାଳୟ ପକ୍ଷରୁ ଏହି ଘଟଣାରେ ଏକ ବିବୃତି ଜାରି କରି କୁହାଯାଇଛି ଯେ ଉକ୍ତ ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ ହୋଇଛି।
ପୁଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି, ଯେଉଁଥିରେ ପୀଡ଼ିତା ତାଙ୍କ ଅଧ୍ୟାପକଙ୍କ ବିରୋଧରେ ନିର୍ଯାତନା ଓ ଅପମାନର ଅଭିଯୋଗ ଆଣିଛନ୍ତି। ଛାତ୍ରୀ ଜଣକ ତାଙ୍କ ମୃତ୍ୟୁ ପାଇଁ ପିସିପି ଓ ଡେଣ୍ଟାଲ୍ ମ୍ୟାଟେରିଆଲ୍ସର ଅଧ୍ୟାପକମାନଙ୍କୁ ଦାୟୀ କରି ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି। ତାଙ୍କ ମୃତ୍ୟୁ ହେଲେ ସେମାନଙ୍କୁ ଉତ୍ତରଦାୟୀ କରାଯିବା ସହ ପରିଣାମ ଭୋଗିବାକୁ ସେ ଆହ୍ୱାନ ଦେଇଛନ୍ତି। ପୀଡ଼ିତା ଛାତ୍ରୀ ଲେଖିଛନ୍ତି, ମୁଁ ଦୀର୍ଘ ଦିନ ଧରି ସେମାନଙ୍କ ପାଇଁ ଚାପରେ ଥିଲି। ସେମାନଙ୍କ ସହ ବି ଠିକ୍ ସେମିତି ହେଉ। ମୁଁ ଖୁବ୍ ଦୁଃଖିତ। ଏମିତି ଭାବେ ମୁଁ ଆଉ ବଞ୍ଚି ପାରିବିନି। ଏହି ଘଟଣା ପରେ କଲେଜ କର୍ତ୍ତୃପକ୍ଷଙ୍କଠାରୁ ଉତ୍ତରଦାୟିତ୍ୱ ଦାବି କରି ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବାରୁ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଛି।