ହିନ୍ଦୁ ପ୍ରେମିକାଙ୍କୁ ବିବାହ ପାଇଁ ମୁସଲମାନ ଯୁବକ କଲେ ଧର୍ମ ପରିବର୍ତ୍ତନ; ସୁପ୍ରିମ୍‌ କୋର୍ଟ ଯୁବକଙ୍କୁ ‘ମହାନ୍‌ ପ୍ରେମୀ’ କହିବା ସହ ‘ବିଶ୍ୱସ୍ତ ପତି’ ହେବାକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ: ନିଜର ହିନ୍ଦୁ ପ୍ରେମିକାଙ୍କୁ ବିବାହ କରିବା ଉଦ୍ଦେଶ୍ୟରେ ଜନୈକ ମୁସଲମାନ ଯୁବକ ନିଜର ଧର୍ମ ପରିବର୍ତ୍ତନ କରି ତାଙ୍କୁ ବିବାହ କରିବା ଘଟଣାକୁ କେନ୍ଦ୍ରକରି ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଛତିଶଗଡ଼ରେ ଘଟିଥିବା ଏହି ବିବାଦୀୟ ଘଟଣା ଏବେ ଆସି ସୁପ୍ରିମ୍‌ କୋର୍ଟରେ ପହଞ୍ଚିଛି।

ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଆଜି (ବୁଧବାର) ଏହି ମାମଲାର ଶୁଣାଣି କରି ସଂପୃକ୍ତ ମୁସଲମାନ ଯୁବକଙ୍କୁ ଜଣେ ‘ମହାନ୍‌ ପ୍ରେମୀ’ ବୋଲି କହିବା ସହ ‘ଜଣେ ବିଶ୍ୱସ୍ତ ପତି’ ହେବାକୁ ପରାମର୍ଶ ଦେଇଛନ୍ତି।

Times of India

ଶୁଣାଣି କାଳରେ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ମତବ୍ୟକ୍ତ କରି କହିଛନ୍ତି, ‘ଆମେ କେବଳ ମହିଳାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ। ଆମେ ଅନ୍ତର୍ଧାର୍ମିକ ଓ ଅନ୍ତର୍ଜାତି ବିବାହ ବିରୋଧୀ ନୋହୁଁ। ଆମେ କେବଳ ମହିଳାଙ୍କ ସୁରକ୍ଷିତ ଭବିଷ୍ୟତ ଚାହୁଁ’, ବୋଲି କହିବା ସହ ନିଜର ଧର୍ମ ଓ ନାମ ପରିବର୍ତ୍ତନ ସଂପର୍କିତ ଏକ ସତ୍ୟପାଠ କୋର୍ଟରେ ଦାଖଲ କରିବାକୁ ସଂପୃକ୍ତ ମୁସଲମାନ ଯୁବକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହସ୍ତଗତ ହୋଇଥିବା ମାମଲାର ରିପୋର୍ଟରୁ ପ୍ରକାଶ ଛତିଶଗଡ଼ର ଜନୈକ ମୁସଲମାନ ପ୍ରେମିକ ତାଙ୍କର ହିନ୍ଦୁ ପ୍ରେମିକାଙ୍କୁ ବିବାହ କରିବା ପାଇଁ ଆର୍ଯ୍ୟ ସମାଜରେ ନିଜର ଧର୍ମ ଓ ନାମ ପରିବର୍ତ୍ତନ କରି ତାଙ୍କୁ ବିବାହ କରିଥିଲେ। ତେବେ, ଏହି ଘଟଣାକୁ ‘ଲଜ୍ଜା’ ବୋଲି କହିବା ସହ ଏହି ବିବାହକୁ ବିରୋଧ କରି କନ୍ୟାପିତା ସୁପ୍ରିମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର