ନୂଆଦିଲ୍ଲୀ: ଡିଜିଟାଲ କ୍ଷେତ୍ରରେ ବିକାଶ ଜାରି ରହିଛି। ଏହା ସହିତ ସାଇବର ଆଟାକ୍‌ର ବିପଦ ମଧ୍‌ୟ ବୃଦ୍ଧି ପାଇବାରେ ଲାଗିଛି। ସମ୍ପ୍ରତି ଏକ ଗୁରୁତ୍ବପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ଡାର୍କ ୱେବରେ ୬୨ କୋଟିରୁ ଅଧିକ ୟୁଜରଙ୍କ ଡାଟା ଲିକ୍ ହୋଇଛି। ଲୋକପ୍ରିୟ ଅଡ଼ିଓ ପ୍ରଡକ୍ଟ ଏବଂ ସ୍ମାର୍ଟୱାଚ୍ ମେକର ବୋଟ୍‌ର ୭.୫ ନିୟୁତ ଅର୍ଥାତ୍ ୬୨ କୋଟିରୁ ଅଧିକ ୟୁଜରଙ୍କ ବ୍ୟକ୍ତିଗତ ଗୁପ୍ତ ତଥ୍ୟ ଲିକ୍ ହୋଇଛି। ଏସବୁକୁ ଡାର୍କ ୱେବରେ ଦେଖିବାକୁ ମିଳିଛି। ଲିକ୍ ହୋଇଥିବା ଡାଟାରେ ୟୁଜରଙ୍କ ନାମ, ଯୋଗାଯୋଗ ନମ୍ବର, ଇମେଲ୍ ଆଇଡି, କଷ୍ଟମର ଆଇଡି ଆଦି ସମ୍ବେଦନଶୀଳ ବିବରଣୀ ରହିଛି। ତେବେ ବୋଟ୍ ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ ପ୍ରଦାନ କରାଯାଇ ନାହିଁ।

Advertisment

ଫୋବର୍ସ ରିପୋର୍ଟ ଅନୁସାରେ ସପିଫିଗ‌େ (ShopifyGUY) ନାମକ ଏକ ହ୍ୟାକର ଦ୍ବାରା ଏହି ସାଇବର ଆକ୍ରମଣ ହୋଇଛି। ଏପ୍ରିଲ୍ ୫ରେ ଏହା ବୋଟ୍ ଲାଇଫଷ୍ଟାଇଲ୍‌ର ଡାଟାବେସ୍ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ହ୍ୟାକର ପକ୍ଷରୁ କିଛି ଡାଟା ସମ୍ବଳିତ ଫାଇଲ୍ ମଧ୍ୟ ସେୟାର କରାଯାଇଛି। ଫାଇଲ୍‌ରେ ୭,୫୫୦,୦୦୦ ଜଣ ୟୁଜରଙ୍କ ତଥ୍ୟ ସାମିଲ୍ ଅଛି। ଏହା ୟୁଜରଙ୍କ ପାଇଁ ଏକ ବଡ଼ ଆହ୍ବାନ ପାଲଟିଛି। ଏହା ଦ୍ବାରା ୟୁଜରଙ୍କୁ ଭବିଷ୍ୟତରେ ଫିଶିଙ୍ଗ୍ ଆଟାକ୍ ଏବଂ ଅନ୍ୟ କେତେକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିବାର ଆଶଙ୍କା ରହିଛି।

ଥ୍ରେଟ୍ ଇଣ୍ଟେଲଜେନ୍ସ ରିସର୍ଚ୍ଚର ସୌମ୍ୟ ଶ୍ରୀବାସ୍ତବଙ୍କ ଅନୁସାରେ ଡାଟା ଲିକ୍ ହେବା ଦ୍ବାରା ବହୁ ୟୁଜର ସମସ୍ୟାରେ ପଡ଼ିବାର ଆଶଙ୍କା ରହିଛି। ହ୍ୟାକର ଡାଟା ବ୍ୟବହାର କରି ବ୍ୟାଙ୍କ ଆକାଉଣ୍ଟ ପର୍ଯ୍ୟନ୍ତ ପହଞ୍ଚିବାର ବିପଦ ରହିଛି। ସୂଚନାଯୋଗ୍ୟ ଅମନ ଗୁପ୍ତା ଏବଂ ସମିର ମେହେଟ୍ଟାଙ୍କ ଦ୍ବାରା ବୋଟ୍ ୨୦୧୬ରେ ସ୍ଥାପିତ ହୋଇଥିଲା।