୨,୦୦୦ ଓ ୨୦୦ ଟଙ୍କିଆ ନୋଟ ବ୍ୟବହାର ବେଳେ ସାବଧାନ ରହନ୍ତୁ; ଚିରା ଓ ଫଟା ନୋଟ୍ ବଦଳାଇବେନି ବ୍ୟାଙ୍କ

ନୂଆଦିଲ୍ଲୀ: ବିମୁଦ୍ରାୟନ ପରେ ଦେଶରେ ନୂତନ ଭାବେ ପ୍ରଚଳିତ ହୋଇଥିବା ନୂତନ ୨୦୦୦ ଓ ୨୦୦ ଟଙ୍କିଆ ନୋଟର ବ୍ୟବହାର ସମୟରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରନ୍ତୁ। କାରଣ, ଯଦି କୌଣସି ବି କାରଣ ପାଇଁ ନୂତନ ୨,୦୦୦ ଓ ୨୦୦ ଟଙ୍କିଆ ନୋଟ କ୍ଷତିଗ୍ରସ୍ତ ହୁଏ; ଅର୍ଥାତ୍‌ ଚିରିଯାଏ, ଫାଟିଯାଏ ବା ଆଂଶିକ ରୂପେ ପୋଡ଼ିଯାଏ ଅଥବା ଏହିପରି ଅନ୍ୟ କୌଣସି କାରଣ ପାଇଁ କ୍ଷତିଗ୍ରସ୍ତ ହୁଏ; ତେବେ, ସେ କ୍ଷେତ୍ରରେ ଦେଶର କୌଣସି ବି ବ୍ୟାଙ୍କ୍‌ ଏପରିକି ଖୋଦ୍‌ ରିଜର୍ଭ ବ୍ୟାଙ୍କ୍‌ ସୁଦ୍ଧା ଆପଣଙ୍କର ସେଇ କ୍ଷତିଗ୍ରସ୍ତ ନୋଟକୁ ବଦଳ କରିବ ନାହିଁ, କିମ୍ବା କ୍ଷତିଗ୍ରସ୍ତ ନୋଟକୁ ରଖି ନୂତନ ନୋଟ ଦେବ ନାହିଁ, ଏପରିକି କ୍ଷତିଗ୍ରସ୍ତ ନୋଟକୁ ଆପଣଙ୍କ ଠାରୁ ଗ୍ରହଣ ସୁଦ୍ଧା କରିବ ନାହିଁ। କାରଣ, ନୂତନ କ୍ଷତିଗ୍ରସ୍ତ ୨,୦୦୦ ଓ ୨୦୦ ଟଙ୍କିଆ ନୋଟକୁ ବଦଳ କରି ତା’ ବଦଳରେ ନୂତନ ନୋଟ ପ୍ରଦାନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ଆଇନ୍‌ ବା ନିୟମ ଏଯାବତ୍‌ ପ୍ରଣୟନ ହୋଇ ନାହିଁ।

ଅନୁସନ୍ଧାନରୁ ଜଣାଯାଇଛି, କ୍ଷତିଗ୍ରସ୍ତ ନୋଟକୁ ବଦଳ କରି ତା’ ବଦଳରେ ଗ୍ରାହକମାନଙ୍କୁ ନୂଆ ନୋଟ ପ୍ରଦାନ ପାଇଁ ଆର୍‌ବିଆଇ ଆକ୍ଟର ୨୮ ଧରାରେ ଯେଉଁ ବ୍ୟବସ୍ଥା ରହିଛି ସେଥିରେ କେବଳ ମାତ୍ର ୧, ୨, ୫, ୧୦, ୨୦, ୫୦, ୧୦୦, ୧,୦୦୦, ୫,୦୦୦ ଓ ୧୦,୦୦୦ ଟଙ୍କିଆ ମୂଲ୍ୟର ନୋଟ୍‌ ସବୁକୁ ବଦଳ କରିବା ପାଇଁ ନିୟମ ରହିଛି। ଏହି ଆଇନ୍‌ରେ ୨୦୦ ଓ ୨,୦୦୦ ଟଙ୍କିଆ ମୂଲ୍ୟର ନୋଟ୍‌କୁ ବଦଳ କରିବା ପାଇଁ କୌଣସି ପ୍ରକାରର ବ୍ୟବସ୍ଥା ନାହିଁ।

ଅନ୍ୟ ପକ୍ଷରେ ବିମୁଦ୍ରାୟନ ପରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ୨୦୧୬ ନଭେମ୍ବର ୮ ରେ ୨,୦୦୦ ଟଙ୍କିଆ ଓ ୨୦୧୭ ଅଗଷ୍ଟ ୨୫ ତାରିଖରେ ୨୦୦ ଟଙ୍କିଆ ନୋଟର ପ୍ରଚଳନ କରିଥିଲେ। ଇତିମଧ୍ୟରେ ଗ୍ରାହକମାନଙ୍କ ମଧ୍ୟରେ ବ୍ୟବହାର କାଳରେ ବହୁ ୨,୦୦୦ ଓ ୨୦୦ ଟଙ୍କିଆ ନୋଟ ଚିରି, ଫାଟି କ୍ଷତିଗ୍ରସ୍ତ ହେଲାଣି। ହେଲେ, ଗ୍ରାହକମାନେ ଏହି କ୍ଷତିଗ୍ରସ୍ତ ନୋଟ୍‌କୁ ବ୍ୟାଙ୍କରେ ବଦଳ କରି ନପାରି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରାହକମାନଙ୍କ ଏହି ଅସୁବିଧାକୁ ହୃଦୟଙ୍ଗମ କରିବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବେ କ୍ଷତିଗ୍ରସ୍ତ ନୋଟକୁ ବଦଳ କରି ତା’ ବଦଳରେ ଗ୍ରାହକମାନଙ୍କୁ ନୂଆ ନୋଟ ପ୍ରଦାନ ପାଇଁ ଆର୍‌ବିଆଇ ଆକ୍ଟର ୨୮ ଧରାରେ ଯେଉଁ ବ୍ୟବସ୍ଥା ରହିଛି ସେଥିରେ ୨,୦୦୦ ଓ ୨୦୦ ଟଙ୍କିଆ ନୋଟ୍‌କୁ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ ସୁପାରିସ୍‌ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର