ବାଗ୍ଦାଦ୍: ଗୋଟାଏ ଇରାକୀ ଯାତ୍ରୀବାହୀ ବିମାନରେ ମାଲ୍ ପରିବହନ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ରଖାଯାଇଥିବା ‘କ୍ରେଟ୍’ରୁ (ଜାଲି-ଭାଡ଼ି) କିଭଳି ଭାଲୁଟିଏ ଖସି ପଳାଇଗଲା ତା’ର ତଦନ୍ତ କରିବା ଲାଗି ଇରାକ୍ର ପ୍ରଧାନମନ୍ତ୍ରୀ ଆଦେଶ ଦେଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ଯାତ୍ରୀ ଓ ‘କ୍ରେଟ୍’ରେ ପଶିଥିବା ସେ ଭାଲୁକୁ ନେଇ ଉକ୍ତ ବିମାନଟି ଦୁବାଇ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ଥିଲା। କିନ୍ତୁ, ଭାଲୁଟି ଖସି ପଳାଇ ଯିବାରୁ ବିମାନ ଉଡ଼ାଣରେ ବିଳମ୍ବ ହେବାରୁ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା।
‘ଇରାକୀ ଏୟାର୍ୱେଜ୍’ କହିଛି ଯେ, ଭାଲୁ ଖସିଯିବା ପାଇଁ ସେ ଦାୟୀ ନୁହେଁ। ତାହା ଥିଲା ‘ସଂଯୁକ୍ତ ଆରବ ଏମିରେଟ୍ସ୍’ କର୍ତ୍ତୃପକ୍ଷଙ୍କ ସହିତ କାର୍ଯ୍ୟ କରୁଥିବା ସେ ବିମାନର କର୍ମଚାରୀମାନଙ୍କର ଦାୟିତ୍ବ। ଭାଲୁଟିକୁ ନିଶା ଦେଇ ଶୁଆଇବା ଓ ତାକୁ ବିମାନରୁ ବାହାର କରିବା ପାଇଁ ସେମାନେ ବିଶେଷଜ୍ଞମାନଙ୍କୁ ପଠାଇଥିଲେ।
ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଭିଡିଓ କ୍ଲିପ୍ରେ ଦେଖାଯାଉଛି, ‘କାର୍ଗୋ ହୋଲ୍ଡ୍’ରେ ଥିବା ‘କ୍ରେଟ୍’ରୁ ଭାଲୁଟି ଖସି ପଳାଇଥିବା କାରଣରୁ ଶୁକ୍ରବାର ଉଡ଼ାଣ ବିଳମ୍ବ ହେଉଛି କହି ବିମାନର କ୍ୟାପ୍ଟେନ୍ ଯାତ୍ରୀମାନଙ୍କ ନିକଟରେ କ୍ଷମାପ୍ରାର୍ଥନା କରୁଛନ୍ତି।

ଶନିବାର ଦିନ ‘ଇରାକୀ ଏୟାର୍ୱେଜ୍’ କହିଛି ଯେ, ‘ଇଣ୍ଟର୍ନ୍ୟାସ୍ନାଲ୍ ଏୟାର୍ ଟ୍ରାନ୍ସ୍ପୋର୍ଟ ଆସୋସିଏସନ୍’ (ଆଇଏଟିଏ) ଦ୍ବାରା ଅନୁମୋଦିତ ଆଇନ, ପଦ୍ଧତି ଓ ମାନ ଅନୁସାରେ ଭାଲୁଟିକୁ ନିଆଯାଉଥିଲା।
‘ଏୟାର୍ଲାଇନ୍’ ଆହୁରି ମଧ୍ୟ କହିଛି ଯେ, ଭାଲୁଟିକୁ ବାଗଦାଦ୍ରୁ ଦୁବାଇ ନିଆଯାଉଥିଲା। କିନ୍ତୁ, ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓ କ୍ଲିପ୍ରେ ଜଣେ ବ୍ୟକ୍ତି ଭିନ୍ନ କଥା କହୁଛନ୍ତି। ସେ କହୁଛନ୍ତି, ବାଗ୍ଦାଦ୍ ଯିବାରେ ବିମାନ ୧ଘଣ୍ଟା ବିଳମ୍ବ କରିଛି। ସମାସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ବିମାନରୁ ଓହ୍ଲାଇ ଯିବାକୁ ଯାତ୍ରୀମାନଙ୍କୁ କୁହାଯାଇଛି।
ଏ ସଂକ୍ରାନ୍ତରେ ଟିପ୍ପଣୀ ଦେବା ପାଇଁ ଦୁବାଇ ଆନ୍ତର୍ଜାତିକ ବିମାନ ବନ୍ଦର ମନା କରି ଦେଇଛି। କିନ୍ତୁ, ରବିବାର ଦିନ ‘ଇରାକୀ ଏୟାର୍ୱେଜ୍’ର ଜଣେ ଅଧିକାରୀ ସୁନିଶ୍ଚିତ କରି କହିଛନ୍ତି ଯେ, ପ୍ରକୃତରେ ଭାଲୁଟିକୁ ଇରାକ୍ର ରାଜଧାନୀକୁ ନିଆଯାଉଥିଲା। କିନ୍ତୁ, ସେ ଭାଲୁର ମାଲିକଙ୍କ ନାଁ କହିବାକୁ ମନା କରିଦେଇଛନ୍ତି।
ସୂଚନାଯୋଗ୍ୟ, ଇରାକ୍ରେ ବିଶେଷକରି ବାଗ୍ଦାଦ୍ରେ ମାଂସାସୀ ପ୍ରାଣୀମାନଙ୍କୁ ପାଳିବା ଧନିକ-ଶ୍ରେଣୀ ଲୋକଙ୍କର ସଉକ ହୋଇଯାଇଛି।