ଦେଖନ୍ତୁ ଭିଡିଓ: ଲୋକେ ଟେକା ମାରିବାରୁ କାର୍ଗିଲ୍‌ରେ ପର୍ବତ ଢାଲୁରୁ ଖସି ପଡୁଛି ଭାଲୁ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର କାର୍ଗିଲ୍‌ ଜିଲ୍ଲାରେ ଲୋକେ ଟେକା ମାରିବାରୁ ଗୋଟାଏ ପର୍ବତ ଢାଲୁରୁ ବାଦାମୀ ଭାଲୁଟାଏ ଝରରେ ଖସି ପଡ଼ିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ଜନ୍ତୁଟିକୁ ଖୋଜି ବାହାର କରିବାକୁ ସରକାରୀ କର୍ତ୍ତୃପକ୍ଷମାନେ ଅଭିଯାନ ଆରମ୍ଭ କରିଛନ୍ତି।

ଆଠ ସେକେଣ୍ଡର୍‌ ଉକ୍ତ ଭିଡିଓଟି କଶ୍ମୀରର ପୂର୍ବତନ ପର୍ଯ୍ୟଟନ ନିର୍ଦେଶକ ମେହମୁଦ୍‌ ଶାହା ଟୁଇଟର୍‌ରେ ସେୟାର୍‌ କରିଛନ୍ତି। ରାଜ୍ୟର ଲଦାଖ ଅନ୍ତର୍ଗତ କାର୍ଗିଲ୍‌ ଜିଲ୍ଲାର ଦ୍ରାସ୍‌ ଅଞ୍ଚଳରେ ଲୋକେ ଭାଲୁ ଉପରକୁ ଟେକା ଫିଙ୍ଗୁଛନ୍ତି।

ନିକଟସ୍ଥ ଗାଁର ଲୋକେ ଗୋଡ଼ାଇବାରୁ ବିଚରା ଭାଲୁ ଗୋଟାଏ ତୀଖା ପର୍ବତ ହୁଡ଼ାକୁ ଚଢ଼ି ଯାଇଥିଲା, କିନ୍ତୁ ଟେକା ପଡ଼ିବାରୁ ଜନ୍ତୁଟି ସନ୍ତୁଳନ ରଖି ନ ପାରି ପାଣି ଝରକୁ ଗଳି ପଡ଼ିଥିଲା।

ଭାଲୁ ପାଣିକୁ ଗଳିପଡ଼ିବା ପରେ ଲୋକେ ଆନନ୍ଦରେ ପାଟି ଚିଲାଇ ଥିଲେ।

ଏହି ଅମାନବୀୟ କାଣ୍ଡର ଦୃଶ୍ୟ ଭାଇରାଲ୍‌ ହେବା ପରେ ଅନେକ ଲୋକ ଉତ୍‌କ୍ଷିପ୍ତ ହୋଇ ଯାଇଥିଲେ। ଜମ୍ମୁ ଓ କଶ୍ମୀରର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ମଧ୍ୟ ଟୁଇଟ୍‌ କରି ଏହି ଘଟଣାକୁ ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି: ହୃଦୟବିଦାରକ ଏବଂ ଅମାନବୀୟ। ପ୍ରଥମ କଥା ହେଲା ଆମେ କାହିଁକି ତାଙ୍କର ଚରାଭୂଇଁକୁ ଅନୁପ୍ରବେଶ କରୁଛୁ?
ଘଟଣା ଲୋକଲୋଚନକୁ ଆସିବା ପରେ ସରକାରୀ କର୍ତ୍ତୃପକ୍ଷମାନେ ଭାଲୁଟିକୁ ଠାବ କରିବାକୁ ଅଭିଯାନ ଆରମ୍ଭ କରିଛନ୍ତି। ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ମଧ୍ୟ ଚିହ୍ନଟ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି।

କାର୍ଗିଲ୍‌ର ଡେପୁଟି କମିସନର୍‌ ବସୀର୍‌-ଉଲ୍‌-ଚୌଧୁରୀ ତଦନ୍ତ ଆରମ୍ଭ କରିବାକୁ ନିର୍ଦେଶ ଦେଇଛନ୍ତି। ବନବିଭାଗ ଏବଂ ଅନ୍ୟାନ୍ୟ ବିଭାଗ ମଧ୍ୟ ଟିମ୍‌ କରି ବାଦାମୀ ଭାଲୁଟିର ପତ୍ତା ପାଇବାକୁ ଚେଷ୍ଟା ଚଳାଇଛନ୍ତି।

ଘଟଣା ବିଷୟରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଥିବା କଥା ଡେପୁଟି କମିସନର୍‌ କହିଛନ୍ତି।

ସମ୍ବନ୍ଧିତ ଖବର