ଟ୍ରୁଡ୍ୟୁଙ୍କୁ ନିବିଡ଼ ଆଲିଙ୍ଗନ : ଭାରତ ଭ୍ରମଣର ଷଷ୍ଠ ଦିନ କାନଡା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ମୋଦି

ନୂଆଦିଲ୍ଲୀ: ଭାରତରେ ପହଞ୍ଚିବାର ପାଞ୍ଚ ଦିନ ପରେ କାନଡୀୟ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁଙ୍କୁ ଶୁକ୍ରବାର ଦିନ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ନିଜ କାନଡୀୟ ପ୍ରତିପକ୍ଷଙ୍କୁ ମୋଦି ଆଶ୍ଳେଷ କରିବା ସହ ତାଙ୍କ ପତ୍ନୀ ଓ ତିନି ପିଲାଙ୍କୁ ମଧ୍ୟ ପାଛୋଟି ନେଇଥିଲେ। ରାଷ୍ଟ୍ରପତି ଭବନଠାରେ ଟ୍ରୁଡ୍ୟୁଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।

ମଧ୍ୟାହ୍ନ ବେଳକୁ ମୋଦି ଓ ଟ୍ରୁଡ୍ୟୁ ଦ୍ୱିପାକ୍ଷିକ ଆଲୋଚନା କରିବା କଥା ସ୍ଥିର କରାଯାଇଛି।

ସାକ୍ଷାତ୍‌ ସମୟରେ ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ବେସାମରିକ ଆଣବିକ ସହଯୋଗ, ମହାକାଶ, ଜଳବାୟୁ ପରିବର୍ତ୍ତନ ମୁକାବିଲା, ଶକ୍ତି ଓ ଶିକ୍ଷା ସଂକ୍ରାନ୍ତ ବିଷୟ ଉପରେ ଅାଲୋଚନା କରିବେ।

କାନଡାରେ ଶିଖ୍‌ମାନଙ୍କ ଉପରେ ହେଉଥିବା ଆକ୍ରମଣରେ ଭାରତର ଉଦ୍‌ବେଗ ଏବଂ ଆତଙ୍କବାଦ ମୁକାବିଲା କରିବା ନିମନ୍ତେ ସହଯୋଗ ଏ ଆଲୋଚନାରେ ପ୍ରମୁଖ ପ୍ରସଙ୍ଗ ହେବ।

Image Courtesy of Deccan Chronicle

ରାଷ୍ଟ୍ରପତି ଭବନ ଠାରେ ଭବ୍ୟ ଗାର୍ଡ ଅଫ୍‌ ଅନର୍‌ ଗ୍ରହଣ କରିବା ପରେ କାନଡୀୟ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ରାଜଘାଟରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଷ୍ଟିନ୍‌ ଟ୍ରୁଡ୍ୟୁଙ୍କ ପାଇଁ ଏକ ସ୍ୱାଗତ ବାର୍ତ୍ତା ଟୁଇଟ୍‌ କରିଥିଲେ।

ଆଶା କରୁଛି, ଟ୍ରୁଡ୍ୟୁ ଓ ତାଙ୍କ ପରିବାରଙ୍କର ରହଣି ଏ ଯାଏଁ ଉପଭୋଗ୍ୟ ହୋଇଥିବ। ବିଶେଷ କରି ମୁଁ ତାଙ୍କର ପିଲା ଜାଭିୟର୍‌, ଇଲା-ଗ୍ରେସ୍‌ ଏବଂ ହେଡ୍ରିନ୍‌ଙ୍କୁ ଦେଖିବାକୁ ଚାହିଁ ବସିଛି। ହେଇ, ୨୦୧୫ କାନଡା ପରିଦର୍ଶନ ବେଳର ଫଟୋଟିଏ। ସେତେବେଳେ ମୁଁ ପ୍ରଧାନମନ୍ତ୍ରୀ ଟ୍ରୁଡ୍ୟୁ ଓ ଇଲା-ଗ୍ରେସ୍‌ଙ୍କୁ ଭେଟିଥିଲି: ମୋଦି ଟୁଇଟ୍‌ କରିଛନ୍ତି।

କାନଡୀୟ ପ୍ରଧାନମନ୍ତ୍ରୀ ଉତ୍ତର ଦେଇଥିଲେ: ତା’ର ଭଲ ଭାବେ ମନେଅଛି। ଏ ପର୍ଯ୍ୟନ୍ତ ବୁଲାବୁଲି ଖୁବ୍‌ ବଢ଼ିଆ ହୋଇଛି। ଆମେ ଆଜି ଆପଣଙ୍କୁ ଭେଟିବୁ।

ସମ୍ବନ୍ଧିତ ଖବର