ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀ ନାରୀ ନିର୍ଯାତନାର ସହର ବୋଲି ପୁଣି ଥରେ ପ୍ରମାଣିତ ହୋଇଛି। ଦିଲ୍ଲୀ ଉପକଣ୍ଠ ନରେଲାରେ ଚୋରା ମଦ କାରବାର ର୍ୟାକେଟ୍କୁ ଧରାଇ ଦେବାରେ ସହଯୋଗ କରିଥିବା ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ଉଲଗ୍ନ କରି ମାଡ଼ ମାରିବା ଘଟଣା ଆଲୋଡ଼ନ ଆଣିଛି। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ତୀବ୍ର ନିନ୍ଦା କରିବା ସହ ସଂପୃକ୍ତ ମଦ ମାଫିଆ ଏବଂ ଏହି କାରବାର ଚାଲୁ କରିବାରେ ସାହାଯ୍ୟ କରୁଥିବା ପୁଲିସ ବିରୋଧରେ କଠୋର ଦଣ୍ଡ ବିଧାନ ପାଇଁ ଉପରାଜ୍ୟପାଳ ଅନୀଲ୍ ବୈଜାଲ୍ଙ୍କ ପାଖରେ ଦାବି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁଯାୟୀ, ଦିଲ୍ଲୀ ମହିଳା କମିସନ୍ ପକ୍ଷରୁ ଗତ ରାତିରେ ନରେଲା ଅଞ୍ଚଳରେ କୌଣସି ଏକ ଯାଞ୍ଚ ଚାଲିଥିବା ସମୟରେ ପୀଡ଼ିତା ମହିଳା ଜଣକ ସେଠାରେ ଖୁଲମ୍ଖୁଲା ଜାରି ରହିଥିବା ଚୋରା ମଦ କାରବାର ସମ୍ପର୍କରେ ମହିଳା କମିସନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ଵାଲ୍ଙ୍କୁ ସୂଚନା ଦେଇଥିଲେ। ମହିଳା କମିସନଙ୍କ ଠାରୁ ସୂଚନା ପାଇ ପୁଲିସ ରାତିରେ ଜଣଙ୍କ ଘରୁ ୩୦୦ ବୋତଲ ଦେଶୀ ମଦ ଜବତ କରିଥିଲା। ତେବେ ଏହାର ପରିଣତି ସୂଚନାପ୍ରଦାନକାରୀ ମହିଳାଙ୍କୁ ଆଜି ଭୋଗିବାକୁ ପଡ଼ିଥିଲା। ସକାଳେ ୨୦ରୁ ୨୫ ଜଣ ଲୋକ ତାଙ୍କୁ ଆକ୍ରମଣ କରିବା ସହ ଲୁହାଛଡ଼ରେ ପିଟିପିଟି ବିବସ୍ତ୍ର କରିଦେଇଥିଲେ। ଏପରିକି ଦୁର୍ବୃତ୍ତମାନେ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ରାସ୍ତାରେ ଚଲାଇବା ସହ ଏହାର ଭିଡିଓ ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ମଧ୍ୟ ଛାଡ଼ିଥିଲେ। ମଦ ମାଫିଆଙ୍କ ବିରୋଧରେ ମୁହଁ ନଖୋଲିବା ପାଇଁ ସେମାନେ ସଂପୃକ୍ତ ମହିଳାଙ୍କୁ ଧମକ ଦେଇଥିବା ସେ ପରେ କହିଛନ୍ତି। ଏପରିକି ସେମାନଙ୍କ କାରବାର ବିରୋଧରେ ମହିଳା କମିସନ ସମେତ ଯିଏ ବି ସ୍ୱର ଉଠାଇବ ତାଙ୍କର ଏପରି ଦଶା ହେବ ବୋଲି ଆକ୍ରମଣକାରୀମାନେ ଚେତାବନୀ ଦେଇଥିଲେ ବୋଲି ମହିଳା ଜଣକ କହିଛନ୍ତି।