ଅହମଦାବାଦ : ଦେଶର ବିଭିନ୍ନ ଅଂଚଳରେ ଭିଡ଼ ହିଂସା ଏବେ ଘୋର ଉଦ୍ବେଗର କାରଣ ପାଲଟିଥିବା ବେଳେ ଆଜି ଗୁଜରାଟରେ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି। ଦାହୋଦ ଜିଲ୍ଲାରେ ଚୋର ସନ୍ଦେହରେ ହିଂସ୍ର ଜନତା ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଲୋକଙ୍କ ଆକ୍ରମଣରେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଭିଡ଼ ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାମ ଅଜମଲ ମୋହନିୟା ବୋଲି ଜଣାପଡ଼ିଛି ।
ଲିମଡ଼ି ପୁଲିସ ଥାନା ଅଧିକାରୀ କହିଛନ୍ତି ଯେ, ଶନିବାର ରାତିରେ ଶତାଧିକ ଲୋକ ଥାନାଠାରୁ ପ୍ରାୟ ୩୫ କିମି ଦୂର କାଳି ବାହୁଡ଼ି ଗ୍ରାମରେ ଏହି କାଣ୍ଡ ଘଟାଇଛନ୍ତି। ସେମାନେ ଚୋର ସନ୍ଦେହରେ ୨ ଜଣଙ୍କୁ ଅଟକ ରଖିବା ପରେ ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ।
ଗ୍ରାମବାସୀମାନେ ଦୁଇ ଜଣ ବ୍ୟକ୍ତିଙ୍କୁ ଚୋର ସନ୍ଦେହରେ ପିଛା କରିଥିଲେ ଏବଂ ଗ୍ରାମ ନିକଟରେ ସେମାନଙ୍କୁ କାବୁ କରି ଅନ୍ୟମାନଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଭିଡ଼ ଜମିବା ସହିତ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଉଭୟଙ୍କୁ ଆକ୍ରମଣ କରାଯାଇଥିଲା। ଘଟଣାସ୍ଥଳରେ ହିଁ ଅଜମଲଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଛି। ପୁଲିସ ଆଜି ଗ୍ରାମର ଶତାଧିକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଅଜମଲ ବିଭିନ୍ନ ଅପରାଧିକ ମାମଲାରେ ସଜା କାଟିବା ପରେ ନିକଟରେ ଜେଲ୍ରୁ ମୁକୁଳିଥିଲା। ସେ ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ଭେଟିବାକୁ ଯାଇଥିବା ବେଳେ ଅଜମଲ ଓ ତା’ ସହିତ ଥିବା ଲୋକଙ୍କୁ ଗ୍ରାମବାସୀ ଚୋର ବୋଲି ଧରିନେଇଥିଲେ। ଚଳିତ ମାସ ପ୍ରାରମ୍ଭରେ ରାଜସ୍ଥାନର ଅଲଓ୍ଵର ଜିଲ୍ଲାରେ ଗୋଚାଲାଣକୁ କେନ୍ଦ୍ର କରି ୨୮ ବର୍ଷୀୟ ରକବର୍ ଖାନ୍୍ଙ୍କୁ ପିଟିପିଟି ହତ୍ୟା କରାଯାଇଛି। କିଛି ସପ୍ତାହ ତଳେ ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ପିଲାଚୋର ସନ୍ଦେହରେ ୫ ଜଣଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ସୁପ୍ରିମ୍ କୋର୍ଟ ନିକଟରେ ଭିଡ଼ ଦ୍ୱାରା ହତ୍ୟା ଘଟଣାକୁ ଗମ୍ଭୀରତାର ସହ ନେଇ ଏହାକୁ ରୋକିବା ନିମନ୍ତେ ପୃଥକ୍ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/mob_lynch_in_Gujarat.jpeg)