ନୂଆଦିଲ୍ଲୀ : ବ୍ରିଟିଶ ଅମଳରେ ଗଠନ କରାଯାଇଥିବା ଭାରତୀୟ ସେନା ଏବେ ବି କେତେକ ବ୍ରିଟିଶ ପରମ୍ପରା ପାଳନ କରିଆସିଛି । ଏବେ ଭାରତ ସରକାର ସେନାରେ ବ୍ରିଟିଶ ପରମ୍ପରା,ରୀତିନୀତି ଓ ପାଠ୍ୟକ୍ରମକୁ ବଦଳାଇ ତାହାର ଭାରତୀୟକରଣ କରୁବାକୁ ପଦକ୍ଷେପ ନେଉଛନ୍ତି ।
ପ୍ରତିବର୍ଷ ଜାନୁଆରି ୨୯ରେ ଅନୁଷ୍ଠିତ ହେଉଥିବା ଭାରତୀୟ ସେନାର ବିଟିଂ ଦ ରିଟ୍ରିଟ୍ ସମାରୋହ ଏକ ଖ୍ରୀଷ୍ଟିଆନ ଧାର୍ମିକ ମନ୍ତ୍ର ଆବାଇଡ୍ ଓ୍ବିଥ ମି ତାଳେ ତାଳେ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷଠାରେ ଏହା ବଦଳରେ ଭାରତୀୟ ଦେଶାତ୍ମବୋଧକ ସଂଗୀତ ‘ଏ ମେରେ ବତନ କି ଲୋଗୋ’ ତାଳେ ତାଳେ ଅନୁଷ୍ଠିତ ହେବ । ବିଟିଂ ଦି ରିଟ୍ରିଟ୍ ସମାରୋହରେ ସ୍ଥାନ ପାଉଥିବା ୨୬ଟି ସଂଗୀତ ମଧ୍ୟରେ ଏଥର ଆବାଇଡ୍ ଓ୍ବିଥ ମି ସ୍ଥାନ ପାଇନାହିଁ । ଏହାକୁ ବଦଳାଇବାକୁ ଗତ ବର୍ଷ ମେ ମାସଠାରୁ ଉଦ୍ୟମ ଆରମ୍ଭ ହୋଇଥିଲା । ଏହାର ଅଡିଓ ସ୍କୋର ପାଇଁ ଭାରତୀୟ ସେନା ପକ୍ଷରୁ ବିଡ୍ ଆହ୍ବାନ କରାଯାଇଥିଲା । ଏଥିପାଇଁ ଭାରତୀୟ ସେନା ପକ୍ଷରୁ ୬ଟି ଭିନ୍ନ ଭିନ୍ନ ସଂଗୀତକୁ ଚୂଡ଼ାନ୍ତ କରାଯାଇଥିଲା । ଏହା ମଧ୍ୟରୁ କେତୋଟି ସଂଗୀତ ପୂର୍ବରୁ ହିଁ ସେନା ବ୍ୟାଣ୍ଡ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା । ସେଗୁଡ଼ିକ ମଧ୍ୟରେ ଥିଲା ସାରା ଜାହାଁସେ ଅଚ୍ଛା, ଏ ମାଲିକ ତେରେ ବନ୍ଦେ ହମ, ଦେ ଶିବା ବର ମୋହେ । ତେବେ ଶେଷରେ ‘ଏ ମେରେ ବତନ କି ଲୋଗୋ’କୁ ବଛାଯାଇଥିଲା ।