ନୂଆଦିଲ୍ଲୀ: ଆଜି ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ଉପରେ ସୁପ୍ରିମ୍‌ କୋର୍ଟଙ୍କ ଐତିହାସିକ ବା ସ୍ମରଣୀୟ ରାୟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଛନ୍ତି, ଏହା ଜମ୍ମୁ ଓ କଶ୍ମୀର ଏବଂ ଲଦାଖବାସୀଙ୍କ ଆଶା, ପ୍ରଗତି ଓ ଏକତାର ନିର୍ଣ୍ଣାୟକ ଉଦ୍‌ଘୋଷଣା।

Advertisment

ଏ ସଂକ୍ରାନ୍ତରେ ‘ଏକ୍ସ୍‌’ରେ କରିଥିବା ପୋଷ୍ଟ୍‌ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଧାରା ୩୭୦ ଉଚ୍ଛେଦ ଉପରେ ଆଜି ସୁପ୍ରିମ୍‌ କୋର୍ଟଙ୍କ ରାୟ ହେଉଛି ଐତିହାସିକ ଏବଂ ଏହା ୨୦୧୯ ଅଗଷ୍ଟ ୫ରେ ଭାରତର ସଂସଦଦ୍ବାରା ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ସାମ୍ବିଧାନିକ ଭାବେ ସମର୍ଥନ କରୁଛି। ଏହା ହେଉଛି ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ଭଉଣୀ ଓ ଭାଇମାନଙ୍କ ଆଶା, ପ୍ରଗତି ଓ ଏକତାର ନିର୍ଣ୍ଣାୟକ ଉଦ୍‌ଘୋଣା। ସର୍ବୋପରେ ଆମେ ଭାରତୀୟମାନେ ସଯତ୍ନ ଅନ୍ତରରେ ଧରି ରଖିଥିବା ଏକତାର ମୂଳମନ୍ତ୍ରକୁ ଅଦାଲତ ତା’ର ଗଭୀର ଜ୍ଞାନଦ୍ବାରା ଆହୁରି ସୁରକ୍ଷିତ କରିଛି।

publive-image Image Courtesy of India Today

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଲେଖିଛନ୍ତି, ଜମ୍ମୁ ଓ କଶ୍ମୀର ଓ ଲଦାଖର କଷ୍ଟସହିଷ୍ଣୁ ଜନତାଙ୍କୁ ମୁଁ ନିର୍ଭର ପ୍ରତିଶ୍ରୁତି ଦେଉଛି ଯେ, ଆପଣମାନଙ୍କ ଅଭିଳାଷ ପରିପୂରଣ ନିମିତ୍ତ ଆମର ପ୍ରତିବଦ୍ଧତା ଅବ୍ୟାହତ ରହିଛି। ଆମେ ଦୃଢ଼ ପରିକର ଯେ, ପ୍ରଗତିର ସୁଫଳ ଆପଣମାନଙ୍କ ନିକଟରେ ପହଞ୍ଚିବା ସହିତ ଧାରା ୩୭୦ ଯୋଗୁଁ ଦୁର୍ଦ୍ଦଶାଗ୍ରସ୍ତ ଆମ ସମାଜର ଅବହେଳିତ ଜନତାଙ୍କ ନିକଟରେ ପହଞ୍ଚିବ।

ସେ ଆହୁରି ମଧ୍ୟ କହିଛନ୍ତି, ଆଜିର ରାୟ କେବଳ ଆଇନଗତ ରାୟ ନୁହେଁ, ଏହାର ଆଶାର ଆଲୋକବର୍ତ୍ତିକା, ଉଜ୍ଜ୍ବଳତର ଭବିଷ୍ୟତର ପ୍ରତିଶ୍ରୁତି ଓ ସୁଦୃଢ଼ ଓ ଅଧିକ ସମ୍ମିଳିତ ଭାରତ ଗଠନ ନିମନ୍ତେ ଆମ ମିଳିତ ପ୍ରତିଜ୍ଞାର ପରିଭାଷା।

ଆଜି ସୁପ୍ରିମ୍‌ କୋର୍ଟ ଧାରା ୩୭୦ ଉଚ୍ଛେଦକୁ ବୈଧ ବୋଲି ଘୋଷଣା କରି କହିଛନ୍ତି ଯେ, ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯିବ ନାହିଁ।