ବେଙ୍ଗାଲୁରୁ : କରୋନା ମହାମାରୀ ଦେଶରେ କାୟା ବିସ୍ତାର କରିଚାଲିଛି। କରୋନା ଯୋଦ୍ଧା ତଥା ଆଗ ଧାଡ଼ିରେ ରହି ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ମଧ୍ୟ କରୋନାରେ ପ୍ରାଣ ହରାଉଛନ୍ତି। ଚିନ୍ତାଜନକ ହେଉଛି ଜଣେ କୋଭିଡ୍ ଡାକ୍ତର ଅବହେଳାର ଶିକାର ହୋଇ ପ୍ରାଣ ହରାଇବା। ଯେଉଁଠି ଡାକ୍ତରଙ୍କୁ ନ୍ୟାୟ ମିଳୁନି ସେଠି ସାଧାରଣ ଜନତା କେତେ ସୁରକ୍ଷିତ ତାହା ସ୍ପଷ୍ଟ ଅନୁମେୟ। ଏଭଳି ଏକ ଘଟଣା ଘଟିଛି ବେଙ୍ଗାଲୁରୁରେ। ଜଣେ ୫୦ ବର୍ଷୀୟ ଡାକ୍ତରଙ୍କୁ ୩ଟି ହସ୍ପିଟାଲ୍ ଫେରାଇ ଦେଇଥିଲେ। ଶେଷରେ ଏହି ଡାକ୍ତରଙ୍କର ବିଏମ୍ସିଆରଆଇ ( ବେଙ୍ଗାଲୁରୁ ମେଡିକାଲ୍ କଲେଜ୍ ଆଣ୍ଡ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍)ରେ ମୃତ୍ୟୁ ହୋଇଯାଇଛି। ଡ. ମଂଜୁନାଥ ଏସ୍ଟି ରାମନଗର ଜିଲ୍ଲାର କନକପୁର ତାଲୁକା ସ୍ଥିତ ଚିକ୍କମୁଦାଭେଦି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କରୋନା ଡ୍ୟୁଟିରେ ଥିବାବେଳେ ସଂକ୍ରମିତ ହୋଇଥିଲେ। ତାଙ୍କ ପରିବାରରେ ସେ ଦ୍ବିତୀୟ ବ୍ୟକ୍ତି ଭାବେ କରୋନାରେ ପ୍ରାଣ ହରାଇଛନ୍ତି।
୨ ଦିନ ତଳେ ତାଙ୍କ ଶ୍ବଶୁରଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ବିବିଏମ୍ପିର ଜଣେ ମେଡିକାଲ ଅଫିସର, ଡ. ନଗେନ୍ଦ୍ର କୁମାର କହିଛନ୍ତି, ମଂଜୁନାଥଙ୍କୁ ଜୁନ୍ ୨୫ରେ ପ୍ରବଳ ଜ୍ବର ହୋଇଥିଲା ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହୋଇଥିଲା। ସେ କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା । କିନ୍ତୁ ସ୍ପଷ୍ଟ ଅବଗତ ହେବାପାଇଁ ଟେଷ୍ଟ୍ ରିପୋର୍ଟ୍କୁ ଅପେକ୍ଷା କରାଯାଇଥିଲା। ଡ. ନଗେନ୍ଦ୍ର କୁମାର କହିଛନ୍ତି, ଡାକ୍ତର ହୋଇ ମଧ୍ୟ ତାଙ୍କୁ ୩ଟି ହସ୍ପିଟାଲ୍ରେ ବେଡ୍ ମିଳିଲା ନାହିଁ। କୋଭିଡ୍-୧୯ ଟେଷ୍ଟ୍ ରିପୋର୍ଟ ନଥିବାରୁ ତାଙ୍କୁ ୩ଟି ହସ୍ପିଟାଲ୍ରେ ଆଡମିଟ୍ କରାଯାଇପାରିନଥିଲା। କିନ୍ତୁ ପରିଶେଷରେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଆଡମିଟ୍ କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା। କିନ୍ତୁ ପୁଣିଥରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପୂରା ବିଗିଡ଼ିଗଲା। ଜୁଲାଇ ୯ରେ ତାଙ୍କ ବିଏମ୍ସିଆର୍ଆଇ ସ୍ଥାନାନ୍ତର କରାଗଲା। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଶେଷରେ ଦୀର୍ଘ ୨୮ ଦିନର ଯୁଦ୍ଧରେ ଡାକ୍ତର ଜଣଙ୍କ ହାରି ଯାଇଛନ୍ତି। ଡାକ୍ତରଙ୍କ ପରିବାରରେ ୬ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କ ଡେଣ୍ଟିଷ୍ଟ୍ ପତ୍ନୀ, ୧୪ ବର୍ଷର ପୁଅ ମଧ୍ୟ ସଂକ୍ରମିତ ହୋଇଛନ୍ତି।