ଏହି ଭୁଲ ପାଇଁ ନିଜ ଉପରେ ୫,୦୦୦ଟଙ୍କାର ଜରିମାନା ଲଗାଇଲେ ଜିଲ୍ଲାପାଳ
ମୁମ୍ବାଇ : ଥରେ ବ୍ୟବହାର ଉପଯୁକ୍ତ ପ୍ଲାଷ୍ଟିକ୍ କପ୍ରେ ଚା’ ପିଇଥିବାରୁ ମହାରାଷ୍ଟ୍ରର ବିଦର ଜିଲ୍ଲାପାଳ ଅସିତ୍ କୁମାର ପାଣ୍ଡେ ନିଜ ଉପରେ ୫,୦୦୦ଟଙ୍କାର ଜରିମାନା ଲଗାଇଛନ୍ତି । ଅଜାଣତରେ ତାଙ୍କ କାର୍ଯ୍ୟାଳୟ ଦ୍ୱାରା ଏହି ଭୁଲ କରାଯାଇଥିବା ବେଳେ ଭୁଲକୁ ସୁଧାରିବା ପାଇଁ ସେ ନିଜ ଉପରେ ୫,୦୦୦ଟଙ୍କାର ଜରିମାନା ଲଗାଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ମରାଠୱାଡାର ବିଦର ଜିଲ୍ଲାପାଳ ଅସିତ୍ କୁମାର ପାଣ୍ଡେ ନିଜ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧିତ ସୂଚନା ଦେବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇଥିଲେ । ସମ୍ମିଳନୀରେ ସେ ନିର୍ବାଚନରେ ପ୍ଲାଷ୍ଟିକ୍ ବ୍ୟବହାର କରାଯିବ ନାହିଁ । ଏ ନେଇ କଡ଼ା ନଜର ରଖାଯିବ ବୋଲି କହୁଥିଲେ । ଠିକ୍ ସେହି ସମୟରେ ଥରେ ବ୍ୟବହାର ଉପଯୁକ୍ତ ପ୍ଲାଷ୍ଟିକ୍ କପ୍ରେ ସମସ୍ତଙ୍କୁ ଚା’ ଦିଆଯାଉଥିବା ଦେଖି ଜଣେ ସାମ୍ବାଦିକ ଏ ନେଇ ପ୍ରଶ୍ନ ଉଠାଇଥିଲେ । ଜଣେ ଚାଷୀ ବ୍ୟାଙ୍କକୁ ଟଙ୍କା ଜମା କରିବା ପାଇଁ ଏକ ପ୍ଲାଷ୍ଟିକ୍ ବ୍ୟାଗ୍ରେ ଟଙ୍କା ନେଇଥିବାରୁ ତା’ ଉପରେ ୫,୦୦୦ଟଙ୍କାର ଜରିମାନା ଲାଗିଥିବା କଥା ସାମ୍ବାଦିକଜଣଙ୍କ କହିଥିଲେ । ଯାହା ପରେ ଜିଲ୍ଲାପାଳ ଅସିତ୍ କୁମାର ପାଣ୍ଡେ ନିଜ ଭୁଲ ସ୍ୱୀକାର କରିବା ସହ ନିଜ ଉପରେ ୫,୦୦୦ଟଙ୍କାର ଜରିମାନେ ଲଗାଇଥିଲେ ।