ନୂଆଦିଲ୍ଲୀ: ମୁମ୍ବାଇରେ ରବିବାର ଅନୁଷ୍ଠିତ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଉଦ୍ଯାପନୀ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ କହିଥିଲେ ଯେ ସେ କାହାରି ନାମ ନେବାକୁ ଚାହାନ୍ତି ନାହିଁ। କିନ୍ତୁ ଏହି ରାଜ୍ୟର ଜଣେ ବରିଷ୍ଠ ନେତା କଂଗ୍ରେସ ଛାଡ଼ିଛନ୍ତି। ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ସମ୍ମୁଖରେ କାନ୍ଦି କହିଥିଲେ ଯେ ସେ ଦୁଃଖିତ। ଏହି ଲୋକ, ଏହି ଶକ୍ତି ବିରୋଧରେ ଲଢ଼ିବାକୁ ତାଙ୍କର କ୍ଷମତା ନାହିଁ। ସେ ଜେଲ୍କୁ ଯିବାକୁ ଚାହାନ୍ତି ନାହିଁ।
ରାହୁଲଙ୍କ ଏହି ମନ୍ତବ୍ୟର ପ୍ରତିକ୍ରିୟାରେ ଆଜି କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ଅଶୋକ ଚହ୍ବାନ କହିଛନ୍ତି ଯେ ସେ କାନ୍ଦିବା ତ ଦୂରର କଥା ଦଳ ଛାଡ଼ିବା ପୂର୍ବରୁ ସୋନିଆକୁ ଭେଟି ମଧ୍ୟ ନାହାନ୍ତି। ଶେଷ ମୁହୂର୍ତ୍ତ ଯାଏଁ ଦଳର ରାଜ୍ୟ କାର୍ଯ୍ୟାଳୟରେ କାମ କରୁଥିଲେ। ସେତେବେଳ ଯାଏଁ କେହି ଜାଣିନଥିଲେ ଯେ ସେ ଦଳ ଛାଡ଼ୁଛନ୍ତି ବୋଲି। ପ୍ରଥମେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏହାର ମାତ୍ର କିଛି କ୍ଷଣ ପରେ ଦଳର ସଭ୍ୟପଦରୁ ଇସ୍ତଫା ଦେଇଥିଲେ।