ନୂଆଦିଲ୍ଲୀ: ଗତ ସପ୍ତାହରେ ୧୩ବର୍ଷୀୟ ବାଳକର ଗୋଟାଏ ମେସେଜରେ ଅଟକିଥିଲା ୩୦୧ଯାତ୍ରୀ ଥିବା ବିମାନ। ପୁଲିସର ଦକ୍ଷତା ଜାଣିବାକୁ ମିଛରେ ବିମାନରେ ବୋମା ଥିବା କହିଥିଲେ ବାଳକ। ଗତ ସପ୍ତାହରେ ଦିଲ୍ଲୀ ବିମାନବନ୍ଦରର ସୁରକ୍ଷାକର୍ମୀଙ୍କ ପାଖକୁ ଏକ ଧମକପୂୂର୍ଣ୍ଣ ମେଲ୍ ଆସିଥିଲା। ସେଥିରେ ଉଡ଼ାଣ କରିବାକୁ ଥିବା ଏକ ବିମାନରେ ବୋମା ଥିବା ଲେଖାଯାଇଥିଲା। ଏହି ମେଲ୍ ପାଇ ପୁଲିସ ପୂରା ବିମାନ ଯାଞ୍ଚ କରିବା ପରେ ବି ବୋମା ମିଳିନଥିଲା। କିଏ ଏଭଳି ମିଛ ସୂଚନା ଦେଇଛି ବୋଲି ପୁଲିସ ଯାଞ୍ଚ କଲା ପରେ ଅଭିଯୁକ୍ତଜଣକ ୧୩ବର୍ଷୀୟ ବାଳକ ବୋଲି ଜଣାପଡ଼ିଥିଲା। ଏବେ ପଚରାଉଚରା ପରେ ଅଭିଯୁକ୍ତ ବାଳକର କାରଣ ଶୁଣି ପୁଲିସ ଆଶ୍ଚର୍ଯ୍ୟ ହୋଇଛି।
ପୁଲିସର କହିବା ମୁତାବକ, ୧୩ବର୍ଷୀୟ ବାଳକକୁ ଅଟକ ରଖି ପଚରାଉଚରା କରାଯାଇଥିଲା। ଏଭଳି କାହିଁକି କଲ ବୋଲି ପଚରା ଯିବାରୁ ସେ କହିଥିଲେ, ପୁଲିସ ମୋତେ ଖୋଜିପାରୁଛି କି ନାହିଁ, ତାହା ଜାଣିବା ପାଇଁ ମୁଁ ଏଭଳି କରିଥିଲି। ତାଙ୍କର ଏଭଳି କାରଣ ଶୁଣିବା ପରେ ଏବେ ତାଙ୍କୁ ତାଙ୍କ ମାତାପିତାଙ୍କ କଷ୍ଟଡିକୁ ପଠାଯାଇଛି।
ଉଲ୍ଲେଖଯୋଗ୍ୟ, ଜୁନ୍ ୪ରେ ଏୟାର କାନାଡା ବିମାନରେ ବୋମା ଥିବା ନେଇ ଲେଖାଥିବା ମେଲ୍ ପାଇବା ପରେ ପୁଲିସ ଯାଞ୍ଚ କରିଥିଲା। ବିମାନରେ ଥିବା ୩୦୧ ଯାତ୍ରୀ ଓ ୧୬କ୍ରୁ ସଦସ୍ୟଙ୍କୁ ଓହ୍ଲାଇ ବିମାନର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଖବରଟି ମିଛ ବୋଲି ସ୍ପଷ୍ଟ ହୋଇଥିବା ବେଳେ ବିମାନର ଉଡ଼ାଣ ବାତିଲ ହୋଇଥିଲା। ଆସିଥିବା ମେଲକୁ ନେଇ ପୁଲିସ ଯାଞ୍ଚ କରିବା ପରେ ମେଲ୍ କରିବାର କିଛି ସମୟ ପୂର୍ବରୁ ଜିମେଲ ଆକାଉଣ୍ଟ ଖୋଲାଯାଇଥିବା ଜଣାପଡ଼ିଥିଲା। ଏହା ପରେ ମେଲଟି ଉତ୍ତରପ୍ରଦେଶର ମିରଟରୁ ପଠାଯାଇଥିବା ଜାଣି ପୁଲିସ ସେଠାରେ ପହଞ୍ଚିବା ପରେ ବାଳକର ସମ୍ପୃକ୍ତି ସାମ୍ନାକୁ ଆସିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/t-108.jpg)