ଅହମଦାବାଦ: ବିଗତ ମାସେ ହେଲା ଗୁଜରାଟରେ ଦେଖାଦେଇଥିବା କୋଭିଡ୍-୧୯ ସଂକ୍ରମଣର ଅହେତୁକ ବୃଦ୍ଧି ପଛରେ ବି.୧.୬୧୭ ନାମକ ଭାରତୀୟ ପ୍ରଜାତିର ଦ୍ବୈତ ରୂପାନ୍ତରିତ କରୋନାଭୂତାଣୁ ଦାୟୀ ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି। ସମ୍ପ୍ରତି ରାଜ୍ୟରେ ଚିହ୍ନଟ ହେଉଥିବା ନୂତନ ସଂକ୍ରମଣର ୪୦ ପ୍ରତିଶତ ମାମଲାରେ ଏହି ପ୍ରଜାତିର ଭୂତାଣୁ ରହିଥିବା ଜଣାଯାଇଛି। ସେହିପରି ୫୫ ପ୍ରତିଶତ ମୃତକଙ୍କ ଶରୀରରେ ମଧ୍ୟ ଏହି ଦ୍ବୈତ ପ୍ରଜାତିର ଭୂତାଣୁ ରହିଥିବା ସ୍ପଷ୍ଟ ହୋଇଛି। ଯଦିଓ ଅନ୍ୟ ଭୂତାଣୁମାନେ ମଧ୍ୟ କିଛି ପରିମାଣରେ ଦାୟୀ, ତେବେ ଏହି ବି.୧.୬୧୭ର ଘାତକ ସଂକ୍ରମଣକ୍ଷମତା ଓ କ୍ଷିପ୍ର ବ୍ୟାପକତା ହିଁ ଗୁଜରାଟରେ ଏଭଳି ପରିସ୍ଥିତି ଆଣିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଏହା ପୀଡ଼ିତଙ୍କ ଠାରେ ତଣ୍ଟି ବସିବା ପରି ପୁରୁଣା ଲକ୍ଷଣ ବଦଳରେ ଭୀଷଣ ଝାଡ଼ା ବାନ୍ତି ପରି ନୂତନ ଲକ୍ଷଣ ପ୍ରଦର୍ଶନ କରୁଛି। ଯଦିଓ ଏହି ପ୍ରଜାତିର ୧୭ରୁ ଅଧିକ ପ୍ରତିରୂପ ରହିଛି, ତେବେ ସବୁଗୁଡ଼ିକ ସେତେ କ୍ଷତିକାରକ ନୁହେଁ। ମାତ୍ର ଏଲ୍୪୫୨ଆର୍ ଓ ଇ୪୮୪କ୍ୟୁ ପରି ଦୁଇଟି ପ୍ରତିରୂପକୁ ବହନ କରୁଥିବା ଏହି ସ୍ବତନ୍ତ୍ର ପ୍ରଜାତି ହିଁ ସମଗ୍ର ଭାରତ ପାଇଁ ଉଦ୍ବେଗର ବିଷୟ ହୋଇଛି ବୋଲି କୁହାଯାଉଛି।