ବେଜିଂ : କୋଭିଡ୍ କଟକଣାକୁ ବିରୋଧ କରି ଚୀନରେ ଗତ କିଛି ଦିନ ହେଲା ଚାଲିଥିବା ଆନ୍ଦୋଳନ ପଛରେ କେତେକ ଗୁପ୍ତ ଶକ୍ତିଙ୍କ ହାତ ଥିବା ଚୀନ କହିଛି । ଏହା ସହିତ ଦେଶରେ କୋଭିଡକୁ ନିୟନ୍ତ୍ରଣ କରିବାକୁ ଲଗାଯାଇଥିବା କଟକଣାକୁ ସମର୍ଥନ କରିଛନ୍ତି ଚୀନ ସରକାର ।

Advertisment

ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜାନ କହିଛନ୍ତି ଯେ, କେତେକ ଗୁପ୍ତ ଶକ୍ତି ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ଅଗ୍ନିକାଣ୍ଡରେ ମୃତ୍ୟୁ ଘଟଣାକୁ କୋଭିଡ୍ କଟକଣା ସହିତ ଯୋଡ଼ୁଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୪ ତାରିଖରେ ଚୀନର ସିଜିଆନ ପ୍ରଦେଶରେ ଥିବା ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହେବା ପରେ ଲୋକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଲୋକମାନଙ୍କ ଅଭିଯୋଗ ଅନୁସାରେ ଆପାର୍ଟମେଣ୍ଟରେ ନିଆଁ ଲାଗିବା ସତ୍ତ୍ବେ ସେଠାରେ ରହୁଥିବା ଲୋକମାନଙ୍କୁ ଘର ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା । ଏହା ଫଳରେ ୧୦ ଜଣ ଲୋକ ମୃତ୍ୟୁବରଣ କରିଥିଲେ ଓ ୯ ଜଣ ଆହତ ହୋଇଥିଲେ ।

ଏହି ଘଟଣାକୁ ନେଇ ଚୀନରେ ଚାଲିଥିବା ଆନ୍ଦୋଳନ ଏବେ ନୂଆ ନୂଆ ସହରକୁ ବ୍ୟାପିବାରେ ଲାଗିଛି । ଏକ ରିପୋର୍ଟ ଅନୁସାରେ ୧୨ ଟି ସହରକୁ ଏହି ଆନ୍ଦୋଳନ ବ୍ୟାପିସାରିଲାଣି । ଅନ୍ତର୍ଜାତୀୟ ସ୍ତରରେ ଚୀନ ଲୋକଙ୍କ ପ୍ରତି ସମବେଦନା ପ୍ରକାଶ ପାଇଛି । ଆନ୍ଦୋଳନକାରୀମାନେ ସି ଜିନପିଙ୍ଗ ଗାଦି ଛାଡ଼ ବୋଲି ସ୍ଲୋଗାନ ଦେଉଛନ୍ତି ।