କୋଭିଡ୍ ଗୋପନୀୟତା ପାଇଁ ବେଜିଂ ଦାୟୀ, ହଂକଂ ଛାଡ଼ିଲେ ଚୀନ୍‌ ଭୂତାଣୁ ବିଶେଷଜ୍ଞ

ନୂଆଦିଲ୍ଲୀ: ମହାମାରୀ କୋଭିଡ୍-୧୯ ସମ୍ପର୍କରେ ଚୀନୀ କର୍ତ୍ତୃପକ୍ଷ ସବୁ କଥା ଏଯାଏ ଗୋପନ ରଖିଛନ୍ତି ବୋଲି ହଂକଂ ସ୍ଥିତ ସ୍କୁଲ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥର ପ୍ରଖ୍ୟାତ ଭୂତାଣୁ ବିଶେଷଜ୍ଞ ଡା. ଲି ମେଙ୍ଗ ୟାନ୍ ଅଭିଯୋଗ ଆଣିଛନ୍ତି। ଏପରିକି ଏ ବାବଦରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ଉପଦେଷ୍ଟା ପ୍ରଫେସର ମାଲିକ ପିରିସ୍ ଭଲ ଭାବରେ ଅବଗତ ଥାଇ ସୁଦ୍ଧା କୌଣସି ପ୍ରତିକାର କରିନାହାନ୍ତି ବୋଲି ଡା. ୟାନ୍ ଦୋଷାରୋପ କରିଛନ୍ତି। ସେହିପରି କରୋନାଭୂତାଣୁ ବିଷୟରେ ଯେବେଠୁ ଜାଣିଲେ ବୋଲି ଚୀନ୍‌ ସରକାର ଦାବି କରୁଛନ୍ତି ତାହାର ଯଥେଷ୍ଟ ଆଗରୁ ଜଣାଯାଇଥିଲା ବୋଲି ଏକ ସାକ୍ଷାତକାରରେ ଡା. ୟାନ୍ କହିଛନ୍ତି। ଏଥି ସହିତ ଘଟଣାକୁ ପ୍ରଘଟ କରିଥିବା ବିଶେଷଜ୍ଞଙ୍କୁ ଜିନ୍ ପିଙ୍ଗ୍ ପ୍ରଶାସନ କିଭଳି ନିର୍ଯାତନା ଦିଅନ୍ତି ତାହା ମଧ୍ୟ ସେ ଜାଣିଛନ୍ତି ବୋଲି ଡା. ୟାନ୍ ଚାଞ୍ଚଲ୍ୟକର ବୟାନ ରଖିଛନ୍ତି।

ଏପରିକି ଚୀନୀ କର୍ତ୍ତୃପକ୍ଷ ତାଙ୍କ ଯଶଖ୍ୟାତିକୁ ବରବାଦ କରିଦେବାକୁ ଚେଷ୍ଟା କରୁଛନ୍ତି ବୋଲି ସମ୍ପ୍ରତି ହଂକଂ ଛାଡ଼ି ଆମେରିକାରେ ଆତ୍ମଗୋପନରେ ଥିବା ଡା. ୟାନ୍ ଅଭିଯୋଗ ଆଣିବା ସହ ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି କହିଛନ୍ତି। ତାଙ୍କ ଦାବି ମୁତାବକ, ବିଶ୍ବରେ ପ୍ରଥମେ କରୋନାଭୂତାଣୁ ସମ୍ପର୍କରେ ପରୀକ୍ଷା ନିରୀକ୍ଷା କରିଥିବା ବୈଜ୍ଞାନିକମାନଙ୍କ ଭିତରେ ସେ ଅନ୍ୟତମ। ତେବେ ୨୦୧୯ ଡିସେମ୍ବର ଶେଷ ବେଳକୁ ଚୀନ୍ ମୂଳଭୂଖଣ୍ଡରୁ ଆସୁଥିବା ସାର୍ସ ଭୂତାଣୁ ପରି ମାମଲାଗୁଡ଼ିକର ନିରୀକ୍ଷଣ କରିବାକୁ ତାଙ୍କୁ ହଂକଂ ସ୍ଥିତ ହୁ ଅନୁବନ୍ଧିତ ବିଜ୍ଞାନାଗାରର ଜନୈକ ସୁପରଭାଇଜର କହିଥିଲେ। ସେହିପରି ଏହା ମନୁଷ୍ୟ ଠାରୁ ମନୁଷ୍ୟ ଶରୀରକୁ ସଂକ୍ରମିତ ହୋଇପାରେ ବୋଲି ଡିସେମ୍ବର ୩୧ରେ ଚୀନ୍‌ ସ୍ଥିତ ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର(ସିଡିସିପି)ର ଜଣେ ବନ୍ଧୁ ତାଙ୍କୁ ସତର୍କ କରାଇ ଦେଇଥିଲେ। ତେବେ ଜାନୁଆରି ୯ ତାରିଖରେ ହୁ ପକ୍ଷରୁ ଏ ବାବଦରେ କିଛି କୁହାଯାଇଥିଲା। ମାତ୍ର ତାହା ପରଠାରୁ ଏ ସମ୍ପର୍କରେ ନିୟମିତ ଆଲୋଚନା କରୁଥିବା ବିଶେଷଜ୍ଞମାନେ ହଠାତ୍ ନିରବି ଯାଇଥିଲେ ବୋଲି ଡା. ୟାନ୍ କହିଛନ୍ତି।

ସମ୍ବନ୍ଧିତ ଖବର