ଅଧିକାଂଶ ବିବାଦୀୟ କ୍ଷେତ୍ରରୁ ସେନା ପଛକୁ ହଟିସାରିଛି : ଚୀନ

ନୂଆଦିଲ୍ଲୀ : ଭାରତ ସହ ଲାଗିଥିବା ସୀମାର ଅଧିକାଂଶ ବିବାଦୀୟ କ୍ଷେତ୍ରରୁ ଚୀନ ସେନା ସଂପୂର୍ଣ୍ଣ ଭାବେ ପ୍ରତ୍ୟାବର୍ତ୍ତନ କରିଛି ଓ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ବୋଲି ଚୀନ କହିଛି ।

ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଓ୍ଵାଙ୍ଗ େଓ୍ଵନବିନ କହିଛନ୍ତି ଯେ ସୀମାରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ଓ ଉତ୍ତେଜନା ନାହିଁ । ଦୁଇଦେଶର ସେନା ବିବାଦୀୟ କ୍ଷେତ୍ରଗୁଡ଼ିକରୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି । ସେ କହିଛନ୍ତି ଯେ ଖୁବଶୀଘ୍ର ଦୁଇଦେଶର ମିଲିଟାରୀ କମାଣ୍ଡରସ୍ତରୀୟ ୫ମ ଦଫା କଥାବାର୍ତ୍ତା ଅନୁଷ୍ଠିତ ହେବ । ଦୁଇପକ୍ଷ ମଧ୍ୟରେ ଇତି ମଧ୍ୟରେ ୪ ପର୍ଯ୍ୟାୟ କଥାବାର୍ତ୍ତା ଅନୁଷ୍ଠିତ ହୋଇସାରିଛି । ଏହି କଥାବାର୍ତ୍ତା ଫଳରେ ଚୀନ ଓ ଭାରତ ସେନା କେତୋଟି ବିବାଦୀୟ କ୍ଷେତ୍ରରୁ ପଛକୁ ହଟିଥିଲେ ମଧ୍ୟ ପେଙ୍ଗୟାଙ୍ଗ ସୋ ଅଞ୍ଚଳରେ ଏବେ ବି ରହିଛି । କେତେକ ରିପୋର୍ଟ ଅନୁସାରେ ଚୀନ ସେନା ଅନ୍ୟ କେତେକ ଅଞ୍ଚଳରେ ହଜାର ହଜାର ଯବାନ ମୁତୟନ କରିଛି । ଏହା ସହିତ ଅସ୍ତ୍ରଶସ୍ତ୍ର ମୁତୟନ କରିଛି । ଫଳରେ ଉପରକୁ ସ୍ଥିତି ଶାନ୍ତିପୂର୍ଣ୍ଣ ଥିଲେ ମଧ୍ୟ ଭିତରେ ଉତ୍ତେଜନାଏବେ ବି ଜାରି ରହିଛି ।

ସୂଚନାଯୋଗ୍ୟ ଯେ ଗତ ଜୁନ ୧୫ ତାରିଖ ରାତିରେ ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଯୋଗୁଁ ଭାରତର ୨୦ ସୈନ୍ୟ ସହିଦ ହୋଇଥିଲେ । ତେବେ ନିଜର ସୈନ୍ୟ ନିହତ ହୋଇଥିଲେ ମଧ୍ୟ ଚୀନ ଏପର୍ଯ୍ୟନ୍ତ ସେହି ସଂଖ୍ୟା ପ୍ରକାଶ କରିନାହିଁ ।

ସମ୍ବନ୍ଧିତ ଖବର