ସ୍ୟାଲ୍‌ମନ୍ ମାଛ କଟା ପଟାରେ କରୋନାଭାଇରସ୍ ଚିହ୍ନଟ ହେବାରୁ ବଜାର ବନ୍ଦ କଲା ବେଜିଙ୍ଗ୍

ବେଜିଙ୍ଗ୍: ପୁଣି ଥରେ କରୋନାଭାଇରସ୍ ସଂକ୍ରମଣ ହୋଇଯିବା ଆଶଙ୍କାରେ ଚୀନ୍ ରାଜଧାନୀ ସହର ବେଜିଙ୍ଗ୍‌ରେ ପାଇକାରୀ ପରିବା ଓ ମାଂସ ଦୋକାନ ସବୁ ବନ୍ଦ କରାଯାଇଛି। ସମ୍ପୃକ୍ତ ଅଞ୍ଚଳର ୧୧ଟି ଆବାସିକ ସମ୍ପ୍ରଦାୟକୁ ମଧ୍ୟ ଲକ୍‌ଡାଉନ୍‌ କରାଯାଇଛି।

ଜିନ୍‌ଫଦି ବଜାରର ବ୍ୟବସାୟୀ ଓ କର୍ମଚାରୀଙ୍କ ଠାରୁ ସଂଗୃହୀତ ୫୧୭ଟି ନମୁନାରୁ ଅନ୍ୟୂନ ୪୫ଟି ନମୁନା କରୋନାଭାଇରସ୍ ପଜିଟିଭ୍ ଥିବା ଜଣାପଡ଼ିଛି। ଜିନ୍‌ଫଦି ପାଇକାରୀ ବଜାରର ବ୍ୟବସାୟୀ ଏବଂ ସେଠାକୁ ଯାଇଥିବା ଗ୍ରାହକମାନଙ୍କ ମଧ୍ୟରେ ହଜାର ହଜାର ନ୍ୟୁକ୍ଲିକ୍ ଏସିଡ୍ ପରୀକ୍ଷା କରାଯାଉଛି। ସେ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟ୍ ପରିସର‌ ବାସିନ୍ଦାଙ୍କର ମଧ୍ୟ ନମୁନା ପରୀକ୍ଷା କରାଯାଉଛି ବୋଲି ଶନିବାର ଦିନ ସ୍ବାସ୍ଥ୍ୟ ଅଧିକାରୀମାନ‌େ କହିଛନ୍ତି।

ପାଇକାରୀ ବଜାରର ଅଧ୍ୟକ୍ଷ ରାଷ୍ଟ୍ରାୟତ ବେଜିଙ୍ଗ୍ ନିଉଜ୍‌କୁ କହିଛନ୍ତି ଯେ ଆମଦାନି କରାଯାଉଥିବା ସ୍ୟାଲ୍‌ମନ୍ ମାଛ କାଟିବା ନିମନ୍ତେ ବ୍ୟବହୃତ ପଟାରେ କରୋନାଭାଇରସ୍ ଚିହ୍ନଟ କରାଯାଇଥିଲା।

Image Courtesy of Global Times

ଏହି ଖବର ପ୍ରସାରଣ ହେବା ପରେ ସମଗ୍ର ସହରରେ ଥିବା ପ୍ରମୁଖ ସୁପର୍‌ମାର୍କେଟ୍ ଚେନ୍‌ ଏହି ମାଛ ବିକ୍ରୟ ବନ୍ଦ କରି ଦେଇଛନ୍ତି।

୨୧ ନିୟୁତ ଜନତା ବସବାସ କରୁଥିବା ଏ ସପ୍ତାହ ପ୍ରାରମ୍ଭରେ ଜଣେ ୫୨ ବର୍ଷିୟ ବ୍ୟକ୍ତି କରୋନାଭାଇରସ୍ ସଂକ୍ରମଣ ହୋଇଥିବା କଥା ଜଣା ପଡ଼ିବା ୫୫ ଦିନ ପୂର୍ବରୁ ବେଜିଙ୍ଗ୍‌ରେ କୌଣସି ନୂତନ ସଂକ୍ରମଣ ରିପୋର୍ଟ ହୋଇ ନ ଥିଲା।

ଏବେ ନିଉକ୍ଲିକ୍ ଏସିଡ୍ ପରୀକ୍ଷା କରାଯିବାରୁ ୪୮ ଘଣ୍ଟା ମଧ୍ୟରେ ୬ଟି ନୂତନ ସଂକ୍ରମଣ ହୋଇଥିବା ଜଣାପଡ଼ିବାରୁ ସମ୍ପୃକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ୍ ଟ୍ରେସିଂ କରାଯାଉଛି।

ଗୁରୁବାର ଓ ଶୁକ୍ରବାର ଦିନ ରିପୋର୍ଟ ହୋଇଥିବା ନୂତନ କୋଭିଡ୍-୧୯ ସଂକ୍ରମିତ ବ୍ୟକ୍ତି ବେଜିଙ୍ଗ୍‌ର ଫେଙ୍ଗ୍‌ତାଇ ଜିଲ୍ଲାରେ ଅବସ୍ଥିତ ବଜାରକୁ ଯାଇଥିଲେ।

ସମ୍ବନ୍ଧିତ ଖବର