ନୂଆଦିଲ୍ଲୀ : ଶୁକ୍ରବାର ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ୟାଙ୍ଗ୍ ଇ ଭାରତ ଗସ୍ତରେ ଆସି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କୁ ଭେଟିଥିଲେ । ତେବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଚାହିଁଥିଲେ ବି ତାହା ସମ୍ଭବ ହୋଇପାରିନଥିଲା । ପ୍ରଧାନମନ୍ତ୍ରୀ ପୂର୍ବ ନିର୍ଦ୍ଧାରିତ କେତେକ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ବୋଲି ତାଙ୍କୁ ଜଣାଇ ଦିଆଯାଇଥିଲା ।

Advertisment

କେତେକ ରିପୋର୍ଟ ଅନୁସାରେ ସୀମାରେ ଦୁଇ ଦେଶର ହଜାର ହଜାର ସୈନ୍ୟ ମୁତୟନ ଥିବାବେଳେ ଚୀନ ବୈଦେଶିକ ମନ୍ତ୍ରୀଙ୍କୁ ଭେଟିବାକୁ ମୋଦୀ ଚାହିଁଲେନି । ଏପରି କରି ମୋଦୀ ଚୀନକୁ ଏକ କଡା ସନ୍ଦେଶ ଦେଇଥିବା କୁହାଯାଉଛି ।

ଏହା ପୂର୍ବରୁ ଚୀନ ବିଦେଶ ମନ୍ତ୍ରୀ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କୁ ଭେଟିଥିଲେ । ଏହି ଅବସରରେ ଚୀନ ପକ୍ଷରୁ ଡୋଭାଲଙ୍କୁ ଚୀନ ଗସ୍ତରେ ଆମନ୍ତ୍ରଣ କରାଯାଇଥିଲା । ତେବେ ସୀମାରେ ଚାଲିଥିବା ଅଚଳାବସ୍ଥାର ସମାଧାନ ହେବା ପରେ ସେ ଚୀନ ଗସ୍ତରେ ଯିବେ ବୋଲି ଡୋଭାଲ  ରୋକଠୋକ ଜଣାଇଦେଇଥିଲେ ।

ସେହିପରି ଓ୍ବାଙ୍ଗଙ୍କୁ ଭେଟିବା ପରେ ବିଦେଶ ମନ୍ତ୍ରୀ ଜୟଶଙ୍କର କହିଥିଲେ ଯେ ସୀମାରେ ବିପୁଳ ସଂଖ୍ୟକ ସୈନ୍ୟଙ୍କ ଉପସ୍ଥିତି ଯୋଗୁଁ ଦୁଇ ଦେଶ ମଧ୍ୟରେ ସଂପର୍କ ସ୍ବାଭାବିକ ନାହିଁ । ଯେଉଁ ଦିନ ପର୍ଯ୍ୟନ୍ତ ସୀମାରେ ସୈନ୍ୟ ଥିବେ ସଂପର୍କରେ ସ୍ବାଭାବିକତା ଆସିବ ନାହିଁ ।