ବେଜିଂର ବଡ଼ ହୋଲ୍‌ସେଲ୍‌ ବଜାରରେ ୪୫ କରୋନା ସଂକ୍ରମିତ, ବନ୍ଦ ହେଲା ବଜାର

ବେଜିଂ: ଚୀନ୍‌ ରାଜଧାନୀ ବେଜିଂର ଏକ ବଡ଼ ହୋଲ୍‌ସେଲ୍‌ ବଜାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ପୁଣିଥରେ ଦ୍ବିତୀୟ ପର୍ଯ୍ୟାୟ କରୋନା ଭୟ ବଢ଼ିବାରୁ ବେଜିଂ ଏହାର ଏକ ବିଶାଳ ପନିପରିବା ଏବଂ ଆମିଷ ବଜାରକୁ ବନ୍ଦ କରିଦେଇଛି। ୧୧ଟି ଅଞ୍ଚଳରେ ପୁଣି ଲକ୍‌ଡାଉନ୍‌ ଜାରି ହୋଇଛି। ଜିନ୍‌ଫାଡି ମାର୍କେଟ୍‌ରୁ ବ୍ୟବସାୟୀ ଏବଂ କର୍ମଚାରୀମାନଙ୍କର ପ୍ରାୟ ୫୧୭ ନମୁନା ସଂଗ୍ରହ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କ ଶରୀରରେ ଭାଇରସ୍‌ ଚିହ୍ନଟ ହୋଇଛି। ଫଳରେ ହୋଲ୍‌ସେଲ୍‌ ବଜାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ମିଳିଥିବା ସୂଚନାନୁଯାୟୀ ଏହ‌ି ହୋ‌ଲସେଲ୍‌ ବଜାରରେ ମାଛ କାଟିବାପାଇଁ ବ୍ୟବହାର ହେଉଥିବା ଏକ ଚପିଂ ବୋର୍ଡ‌୍‌ରେ ଭାଇରସ୍‌ ଚିହ୍ନଟ ହେବାପରେ ସମଗ୍ର ବଜାର ବନ୍ଦ ହୋଇଛି। ଖାଲି ସେତିକି ନୁହେଁ ଏହି ଖବର ପ୍ରସାରିତ ହେବାପରେ ସହରର ଅନ୍ୟ ଅଂଶରେ ମଧ୍ୟ ମାଛ ବିକ୍ରି ବନ୍ଦ ରହିଛି। ଉଲ୍ଲେଖଯୋଗ୍ୟ ବେଜିଂରେ ପ୍ରାୟ ୫୫ ଦିନ ଧରି ନୂଆ ମାମଲା ନଥିଲା। ତେବେ ଚଳିତ ସପ୍ତାହରେ ପ୍ରଥମେ ଜଣେ ୫୨ ବର୍ଷୀୟ ବ୍ୟକ୍ତି କରୋନା ସଂକ୍ରମିତ ହେଲେ। ଏହାର ୪୮ ଘଣ୍ଟା ମଧ୍ୟରେ ପୁଣି ୬ ନୂଆ ମାମଲା ଚିହ୍ନଟ ହେଲା। ତେବେ ବଜାରରେ ନୂଆ ମାମଲା ଚିହ୍ନଟ ହେବାପରେ ପୁଣି ଟେଷ୍ଟିଂ ବଢ଼ିଲା। ତେବେ ବଜାରରେ ସମସ୍ତ ସଦସ୍ୟଙ୍କଠାରେ ନ୍ୟୁକ୍ଲିକ୍‌ ଏସିଡ୍‌ ଟେଷ୍ଟ୍‌ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର